ଆମେରିକାର ଟୁପେଲୋ ସହରରେ ଚକ୍କର କାଟୁଛି ବିମାନ: ପ୍ଲେନ କ୍ରାସ କରିବାକୁ ପାଇଲଟଙ୍କ ଧମକ

349

କନକ ବ୍ୟୁରୋ: ଆମେରିକାର ଟୁପେଲୋ ସହର ଉପରେ ଏକ ବିମାନ ଚକ୍କର କାଟୁଛି । ଆଉ ପାଇଲଟ୍ ପ୍ଲେନ୍ କ୍ରାସ୍ କରିବାକୁ ଧମକ ଦେଉଛନ୍ତି । ଏହାକୁ ନେଇ ଭୟ ବଢ଼ିଯାଇଛି । ଆମେରିକାର ମିସିସିପିରେ ଥିବା ଟୁପେଲୋ ସହର ଉପରେ ଏହି ବିମାନଟି ବୃତାକାରରେ ଘୁରି ବୁଲୁଛି । ଏହି ସହରରେ ଥିବା ୱାଲମାର୍ଟ ଷ୍ଟୋର ଉପରେ ପିଟି ଦୁର୍ଘଟଣା ଘଟାଇବାକୁ ଧମକ ଦେଇଛି ପାଇଲଟ୍ । ଏହାକୁ ନେଇ ଆମେରିକାରେ ହଇଚଇ ଖେଳିଯାଇଛି । ୱାଲମାର୍ଟ ଷ୍ଟୋର ଓ ଏହାର ଆଖପାଖ ଅଂଚଳକୁ ଲୋକଙ୍କୁ ଖାଲି କରାଯାଇଛି । ଲୋକଙ୍କୁ ସେହି ଅଂଚଳ ଛାଡ଼ି ଚାଲିଯିବାକୁ ଅପିଲ୍ କରିଛି ଟୁପେଲୋ ପୁଲିସ । ସବୁ ଜରୁରୀକାଳୀନ ସେବାକୁ ହାଇଆଲର୍ଟରେ ରଖାଯାଇଛି ।

ପାଇଲଟ୍ ସହ ସିଧାସଲଖ କଥା ହେଉଛି ଟୁପେଲୋ ପୁଲିସ । ଏପର୍ଯ୍ୟନ୍ତ ପାଇଲଟ୍ର ପରିଚୟ ମିଳିନି । କାହିଁକି ସେ ଏପରି ଧମକ ହେଉଛନ୍ତି, ତାଙ୍କର କଣ ଉଦ୍ଦେଶ୍ୟ ରହିଛି, ସେ ନେଇ ମଧ୍ୟ କିଛି ସୂଚନା ମିଳିନି । ତେବେ ଏହି ଛୋଟ ବିମାନର ନାଁ ‘ବିଚ୍କ୍ରାଫ୍ଟ କିଙ୍ଗ ଏୟାର ୯୦’ । ଦୁଇଟି ଇଂଜିନ ଥିବା ଏହି ନାଇନ୍ ସିଟର୍ ବିମାନକୁ ପାଇଲଟ୍ ଜଣକ ଅପହରଣ କରି ନେଇଥିବା ସଂଦେହ କରାଯାଉଛି । ଡେଂଜର ଜୋନ୍ରେ ଏହି ବିମାନ ଚକ୍କର କାଟୁଥିବାରୁ ଭୟଭୀତ ହୋଇ ପଡିଛନ୍ତି ଅଂଚଳବାସୀ । ୯/୧୧ ୱାଲ୍ଡ ଟେଡ୍ ସେଂଟର ଧ୍ୱଂସର ଭୟାନକ ଦୃଶ୍ୟ ମନେ ପକାଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।