ବିମାନରେ ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର ! ପାଇଲଟଙ୍କୁ ନିଲମ୍ବନ କଲା ଡିଜିସିଏ ।

227

କନକ ବ୍ୟୁରୋ : ଯାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଜଣେ ପାଇଲଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଖରାପ ବ୍ୟବହାର କରିଥିବାରୁ ଇଣ୍ଡିଗୋ ବିମାନର ଜଣେ ପାଇଲଟଙ୍କୁ ୩ ମାସ ପାଇଁ ନିଲମ୍ବନ କରିଛି ବେସାମରିକ ବିମାନ ଉଡାଣ ମହାନିର୍ଦ୍ଦେଶାଳୟ(ଡ଼ିଜିସିଏ) । ମିଳିଥିବା ସୂଚନା ମୁତାବକ ଜାନୁୟାରୀ ୧୩ ତାରିଖରେ ଚେନ୍ନାଇ-ବାଙ୍ଗାଲୋର ବିମାନରେ ଜଣେ ପାଇଲଟ ମହିଳା ଯାତ୍ରୀଙ୍କୁ ପାଇଲଟ ଧମକେଇବା ସହ ଖରାପ ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା ।

ପାଇଲଟ ଜଣକ ମହିଳାଙ୍କୁ ଜେଲ ପଠାଇବାର ମଧ୍ୟ ଧମକ ଦେଇଥିଲେ । ମହିଳା ଯାତ୍ରୀ ସୁପ୍ରିୟା ନାୟର ଅଭିଯୋଗ କରିଥିଲେ ଯେ ଜାନୁୟାରୀ ୧୩ ତାରିଖ ରାତିରେ ଚେନ୍ନାଇରୁ ବାଙ୍ଗାଲୋର ନିଜ ୭୫ ବର୍ଷୀୟ ମା’ଙ୍କ ସହ ଯାଉଥିଲେ । ତାଙ୍କ ମା ଅସୁସ୍ଥ ଥିବାରୁ ସେ ହ୍ୱିଲ ଚେୟାର ଖଣ୍ଡେ ଦେବାକୁ ଅନୁରୋଧ କରିଥିଲେ ।

କିନ୍ତୁ ପାଇଲଟ ଜଣକ ତାଙ୍କ ସହ ଖରାପ ବ୍ୟବହାର କରିବା ସହ ଜେଲ ପଠାଇବାକୁ ଧମକ ଦେଇଥିଲେ । ଏ ବାବଦରେ ସୁପ୍ରିୟା କେନ୍ଦ୍ର ବେସାମରିକ ବିମାନ ଉଡାଣ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଟ୍ୱିଟ କରି ଅଭିଯୋଗ କରିଥିଲେ । ଏହା ପରେ ଡ଼ିଜିସିଏ ଏହି ଘଟଣାର ତଦନ୍ତ କରି ଅଭିଯୋଗର ସତ୍ୟତା ଥିବାର ଜାଣିପାରିଥିଲା । ଯାତ୍ରୀଙ୍କୁ ଦୁର୍ବ୍ୟବହାର ଓ ଧମକ ଦେବା ଘଟଣାରେ ତିନି ମାସ ପାଇଁ ପାଇଲଟଙ୍କୁ ନିଲମ୍ବନ କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.