ଧାନ ଖଳାରେ ଲାଗିଗଲା ନିଆଁ । ଆଖି ଆଗରେ ଜଳିଗଲା ଲକ୍ଷାଧିକ ଟଙ୍କାର ଧାନ

116

କନକ ବ୍ୟୁରୋ: ଖଳାରେ ଜଳିଗଲା ଧାନ ଗଦା । ବାଲେଶ୍ୱର ଜିଲ୍ଲା ଖନ୍ତପଡା ଥାନା ଅଂଚଳର ମହାରାଜପୁରରେ ଘଟିଛି ଏପରି ଘଟଣା । ଖଳାରେ କେହି ନଥିବା ବେଳେ ନିଆଁ ଲାଗି ୧୨ ଏକର ଜମିର ଧାନ ଫସଲ ପୋଡି ପାଉଁଶ ହୋଇଯାଇଛି । ତେବେ ପୋଡିଯାଇଥିବା ଧାନର ଅନୁମାନିକ ବଜାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ । ମହାରାଜପୁର ବାରିକ ସାହିର ଧାନ ଖଳାରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡି ନାହିଁ । କାଲି ମହାରାଜପୁରର ସୁରେନ୍ଦ୍ର ବାରିକ ନାମକ ଭାଗ ଚାଷୀ ୧୨ ଏକର ଜମିରୁ ଧାନ କାଟିଆଣି ଖଳାରେ ଗଦା କରିଥିଲେ । ଗତକାଲି ବିଳମ୍ବିତ ରାତିରେ କେହିନଥିବା ବେଳେ ନିଆଁ ଲାଗି ଧାନ ଗଦା ପାଉଁଶ ହୋଇଯାଇଛି । ଖବର ପାଇ ଦମକଳ ବାହିନୀ ଗାଁକୁ ଆସି ନିଆଁକୁ ଲିଭାଇଥିବା ଜଣାପଡିଛି ।

ସେପଟେ, ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ସାନମାଟିକଣା ଗ୍ରାମର ଏକ ଖଳାରେ ନିଆଁ ଲାଗିଯିବାରୁ ୯ଟି ଧାନଗଦା ପୋଡି ନଷ୍ଟ ହୋଇଯାଇଛି। ସୂଚନା ଅନୁଯାୟୀ, ସାନମାଟିକଣା ଗ୍ରାମର ମାଗତା ମାଝୀ ଓ ଟିଲ ମାଝୀ ନିଜ ଜମିରୁ ଧାନ ଅମଳ କରିବା ପରେ ଗାଁ ନିକଟସ୍ଥ ଏକ ଖଳାରେ ଧାନ ଗଦା କରି ରଖିଥିଲେ। ତେବେ କୌଣସି କାରଣରୁ ହଠାତ୍ ଏହି ଧାନ ଗଦାରେ ନିଆଁ ଲାଗିଯାଇଥିଲା। ଏନେଇ ଜାଣିବା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଅଗ୍ନିକାଣ୍ଡରେ ସମସ୍ତ ଧାନଗଦାର ପ୍ରାୟ ୫୦କ୍ବିଣ୍ଟାଲ ଧାନ ନଷ୍ଟ ହୋଇଥିବା ଜଣାପଡିଛି।