ସାମ୍ନାକୁ ଆସିଲା ସାଂଘାତିକ ସତ ! ଅର୍ନ୍ତଜାତୀୟ ବିମାନ ଚଳାଉଛନ୍ତି ମାଟ୍ରିକ ପାସ୍ କରିନଥିବା ୫ ପାକିସ୍ତାନ ପାଇଲଟ, ଇଂରାଜୀରେ ଦିଆଯାଉଥିବା ନିର୍ଦ୍ଦେଶକୁ ମଧ୍ୟ ବୁଝି ପାରୁନାହାନ୍ତି

433

ଅର୍ନ୍ତଜାତୀୟ ବିମାନ ଚଳାଉଛନ୍ତି ମାଟ୍ରିକ ପାସ୍ କରିନଥିବା ପାଇଲଟ । ଏପରିକି ବିଭିନ୍ନ ଅର୍ନ୍ତଜାତୀୟ ବିମାନବନ୍ଦରରୁ ଏୟାର ଟ୍ରାଫିକ କଣ୍ଟ୍ରୋଲରୁ ଇଂରାଜୀରେ ଦିଆଯାଉଥିବା କମାଣ୍ଡକୁ ମଧ୍ୟ ବୁଝିପାରୁନାହାନ୍ତି ପାଇଲଟ । କେତେବେଳେ ଯେ ଏଥିପାଇଁ ବିମାନ ଦୁର୍ଘଟଣାଗସ୍ତ ନହେବ ତାହା କହିବା ମୁସ୍କିଲ । ହଜାର ହଜାର ଯାତ୍ରୀଙ୍କ ଜୀବନ ସହ ଏଭଳି ସାଂଘାତିକ ଖେଳ ଖେଳୁଛି ପାକିସ୍ତାନ ଅର୍ନ୍ତଜାତୀୟ ଏୟାରଲାଇନ୍ସ । ଯାହା ଏବେ ସାମ୍ନାକୁ ଆସିଛି ।

ଶୁକ୍ରବାର ପାକିସ୍ତାନ ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଏଭଳି କଥା ସାମ୍ନାକୁ ଆସିଛି । ପାକିସ୍ତାନରେ ଅନ୍ତର୍ଜାତୀୟ ଉଡାଣ କରୁଥିବା ପ୍ରାୟ ୭ ଜଣ ପାଇଲଟ ଜାଲ ସାର୍ଟିଫିକେଟ ଦେଇ ପାଇଲଟ ଲାଇସେନ୍ସ ହାସଲ କରିଛନ୍ତି । ଏପରିକି ପ୍ରାୟ ୫ ଜଣ ପାଇଲଟ ମାଟ୍ରିକ ପରୀକ୍ଷା ମଧ୍ୟ ପାଶ କରିନାହାନ୍ତି । ଏପରି ଘଟଣା ଘଟିଛି ପାକିସ୍ତାନ ଇଣ୍ଟରନାସନାଲ ଏୟାରଲାଇନ୍ସ (ପିଆଇଏ)ରେ ।

ଏପରି ଘଟଣା ସାମନାକୁ ଆସିବା ପରେ ଖୋଦ ପାକିସ୍ତାନ ସୁପ୍ରିମକୋର୍ଟ ମଧ୍ୟ ତାଜୁବ ହୋଇଯାଇଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଇଜାଜୁଲ ଆହସାନ କହିଛନ୍ତି ଯେ ଆଜିକାଲି ମାଟ୍ରିକ ପାଶ ନକରି ବସ ଚଳାଇବା ମଧ୍ୟ କଷ୍ଟକର ହୋଇପଡିଛି, କିନ୍ତୁ ୫ ଜଣ ପାଇଲଟ ଇଣ୍ଟରନାସନାଲ ଫ୍ଲାଇଟ ଉଡାଉଛନ୍ତି । ଏମାନେ ହଜାର ହଜାର ଯାତ୍ରୀଙ୍କ ଜୀବନକୁ ବିପନ୍ନ କରିଛନ୍ତି ବୋଲି ସେ କହିଛନ୍ତି । ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିନଥିବାରୁ ପିଆଇଏର ପ୍ରାୟ ୫୦ ଜଣ କର୍ମଚାରୀଙ୍କୁ ନିଳମ୍ବିତ କରାଯାଇଛି ବୋଲି ପାକିସ୍ତାନର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସୁପ୍ରିମକୋର୍ଟଙ୍କୁ ଜଣାଇଛି ।

ସିଏଏ କହିବା ଅନୁଯାୟୀ, ପିଆଇଏର ୪୩୨୧ ଜଣ କର୍ମଚାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରି ସାରିଛି । ଆହୁରି ୪୦୨ ଜଣ କର୍ମଚାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରିବା ବାକି ରହିଛି । ଆର୍ଥିକ କ୍ଷତିରେ ଚାଲୁଥିବା ପିଆଇଏ ସ୍ଥିତି ସୁଧାରିବାକୁ ପାକ୍ ସରକାର ପୂର୍ବ ମାସରେ ୧୭୦୦ କୋଟି ଟଙ୍କା ବେଲଆଉଟ ପ୍ୟାକେଜ ପ୍ରଦାନ କରିଥିଲା । ଆଉ ଏହାପରେ ଯାଞ୍ଚ କରିବା ଦ୍ୱାରା ଏଭଳି ସାଂଘାତିକ ସତ ସାମ୍ନାକୁ ଆସିଛି ।