ହାର ମାନିଛି ଶାରୀରିକ ଅକ୍ଷମତା । ଦିବ୍ୟାଙ୍ଗ ହୋଇ ବି ଦୃଢଇଚ୍ଛା ବଳରେ ହୋଇଛନ୍ତି ସକ୍ଷମ, ରୋଜଗାର କରୁଛନ୍ତି ପରିବାର ବି ଚଳାଉଛନ୍ତି

226

କନକ ବ୍ୟୁରୋ : ଅଦମ୍ୟ ଇଛା ଶକ୍ତି ଏବଂ ଦୃଢ ଆତ୍ମ ବିଶ୍ୱାସ ଆଗରେ ହାର ମାନିଛି ଦିବ୍ୟାଙ୍ଗ ଯୁବକଙ୍କ ଶାରୀରିକ ଅକ୍ଷମତା । ୭ ବର୍ଷ ବୟସରୁ ନିଜର ଦୁଇ ଗୋଡ ହରାଇବାପରେ ହାର ମାନିନାହାନ୍ତି ଏହି ଯୁବକ । ଦୁଇ ଦୁଇଟି ବ୍ୟବସାୟିକ ପ୍ରତିଷ୍ଠାନ ଗଢିତୋଳିବା ସହିତ ନିଯୁକ୍ତି ଦେଇଛନ୍ତି ସ୍ଥାନୀୟ ଅଂଚଳର କିଛି ଅସହାୟ ଲୋକଙ୍କୁ । ନିଜେ ଆତ୍ମନିର୍ଭରଶୀଳ ହେବାସହିତ ପରିବାରର ହୋଇଛନ୍ତି ରୋଜଗାରିଆ ପୁଅ ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବଡଗାଁ ଗ୍ରାମର ଦୈତାରୀ ସାହୁ । ୭ ବର୍ଷ ବେଳୁ ପୋଲିଓ ରୋଗର ଶୀକାର ହୋଇ ୨ ଗୋଡ ଅକାମୀ ହୋଇଯାଇଛି । କିନ୍ତୁ ଦୃଢ ଆତ୍ମ ବିଶ୍ୱାସ ଏବଂ ଇଛା ଶକ୍ତି ବଳରେ ଆଜି ସେ ପରିବାରର ହୋଇଛନ୍ତି ରୋଜଗାରିଆ ପୁଅ । ପାରାଦୀପ – ଚଣ୍ଡିଖୋଲ ଜାତୀୟ ରାଜପଥ କଡରେ ଏକ ଜଳଖିଆ ଦୋକାନ କରି ନିଜର ଓ ପରିବାରର ଗୁଜୁରାଣ ମେଂଟାଉଛନ୍ତି ।

କେବଳ ଏତିକି ନୁହେଁ, ନିଜ ଦୋକାନରେ ସ୍ଥାନୀୟ ଅଂଚଳର ୨ ଜଣ ଅସହାୟଙ୍କୁ ନିଯୁକ୍ତି ଦେବା ସହ ନିଜ ଭାଇଙ୍କୁ ଏକ ଷ୍ଟେସନାରୀ ଦୋକାନ ବି କରାଇ ଦେଇଛନ୍ତି । ଦୈତାରୀ ୧୭ ବର୍ଷ ବୟସରୁ ବିଭିନ୍ନ ବିଭିନ୍ନ ପ୍ରକାର ଜଳଖିଆ ତିଆରି କରିବା ସିଖିଯାଇଥିଲେ । ଏହାସହ ଆଖ ପାଖ ଅଂଚଳର ବିଭିନ୍ନ ଗ୍ରାମରେ ଜଣେ ଭଲ କାରିଗର ଭାବରେ ସେ ଘରେ ଘରେ ପରିଚିତ । ଦିବ୍ୟାଙ୍ଗ ହୋଇ ବି ଅନ୍ୟ ଉପରେ ନିର୍ଭର ନହୋଇ ବଂଚିବାର ରାସ୍ତା ନିଜେ ହିଁ ଆବିଷ୍କାର କରିପାରିଛନ୍ତି ।

ସରକାରୀ ସାହାର୍ଯ୍ୟ କହିଲେ ୭୦୦ ଟଙ୍କା ଭିନ୍ନକ୍ଷମ ଭତ୍ତା । ତେବେ ଏକ ସାଇକେଲ ପକ୍କା ଘର ଖଣ୍ଡିଏ ପାଇଁ ସେ ବାରମ୍ବାର ଜନ ପ୍ରତିନିଧୀ ମାନଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଜଣାଇଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଖଣ୍ଡେ ଘର ମିଳିପାରି ନାହିଁ । ବାରମ୍ବାର ମହାକାଳପଡା ବ୍ଲକ ଦୌଡି ଦୌଡି ଶେଷରେ ଭାଗ୍ୟକୁ ଆଦରି ପଡି ରହିଛନ୍ତି ଦୈତାରୀ । ଦୈତାରୀଙ୍କ ସଫଳତା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହେବା ସହିତ ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ସେ ପାଲଟି ଯାଇଛନ୍ତି ଜଣେ ରୋଲ୍ ମଡେଲ୍ ।