ରାଜ୍ୟରେ ସେଂଚୁରୀ ମାରିବାକୁ ବସିଲାଣି ତେଲ ଦର ।  ପ୍ରତିଦିନ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦାମ ।

91

କନକ ବ୍ୟୁରୋ: ପ୍ରତିଦିନ ବଢ଼ୁଛି ପେଟ୍ରୋଲ ଓ ଡିଜେଲ ଦାମ୍ । ସକାଳୁ ଉଠୁ ଉଠୁ ବଢ଼ିଯାଉଛି ପେଟ୍ରୋଲ ଦର । ସବୁ ଦିନ ତେଲ ଦରରେ ହେଉଛି ନୂଆ ନୂଆ ରେକର୍ଡ । ମାଲକାନଗରିର କାଲିମେଳାରେ ସର୍ବାଧିକ ରହିଛି ତେଲ ଦର । ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୯୧ ପଇସା, ଡିଜେଲ୍ ଲିଟର ପିଛା ୯୧ ଟଙ୍କା ୩୯ ପଇସା ରହିଛି । ମାଲକାନଗିରି ସଦର ମହକୁମାରେ ପେଟ୍ରୋଲ ୯୪ ଟଙ୍କା ଉପରେ ରହିଥିବା ବେଳେ ୯୦ ଟଙ୍କା ଉପରେ ରହିଛି ଡିଜେଲ ଲିଟର । ଉପାନ୍ତ ଜିଲ୍ଲା, ସଦର ମହକୁମା ଠାରୁ ଦୂର ଇଲାକାରେ ତେଲ ଦର ଅଧିକ ହୋଇଛି ।

ନବରଙ୍ଗପୁର, ଜୟପୁରରେ ୯୩ ଟଙ୍କା ଉପରେ ପେଟ୍ରୋଲ ବିକ୍ରି ହୋଇଛି । ଡିଜେଲ ମଧ୍ୟ ମହଙ୍ଗା ହୋଇଛି । ବ୍ରହ୍ମପୁରରେ ମଧ୍ୟ ୯୦ ଟଙ୍କା ଉପରକୁ ଉଠିଛି ପେଟ୍ରୋଲ । ସମ୍ବଲପୁର, ସୁନ୍ଦରଗଡ଼, କଟକ ଓ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୦ ଟଙ୍କା ପାଖାପାଖି ବିକ୍ରି ହେଉଥିବା ବେଳେ ୮୬ ଟଙ୍କା ଉପରେ ରହିଛି ଡିଜେଲ୍ । ଗୁରୁତ୍ୱପୂର୍ଣ୍ଣ  କଥା ହେଉଛି ଦିଲ୍ଲୀ ଓ ମୁମ୍ବାଇ ଠାରୁ ମଧ୍ୟ ଓଡିଶାର କିଛି ସହରରେ ତେଲ ଦର ବଢିଯାଇଛି  । ସ୍ଥିତି ଏମିତି ହୋଇଛି, ଯେ ତେଲ ଦର ଉପରେ ଏବେ ରୋକ ନଲାଗିଲେ, ଆଉ ଅଳ୍ପ ଦିନ ଭିତରେ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ଛୁଇଁପାରେ । ଏପରି ଦରବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି ।

ନୂଆବର୍ଷରୁ ଆଜି ସୁଦ୍ଧା ଅର୍ଥାତ୍ ୪୫ ଦିନ ମଧ୍ୟରେ ୧୮ ଥର ବଢ଼ିଗଲାଣି ତେଲ ଦର । ଏହି ସମୟ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ପ୍ରାୟ ୫ଟଙ୍କା ବୃଦ୍ଧି ପାଇସାରିଲାଣି । ଗତବର୍ଷ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବା ପରେ କରୋନା ମହାମାରୀର ଆଳ ଦେଖାଇ ରାଜସ୍ୱ ବୃଦ୍ଧି ପାଇଁ ଟିକସ ବଢ଼ାଇଥିଲେ ସରକାର । ଏବେ କିନ୍ତୁ ଅଶୋଧି୍ତ ତେଲ ଦର ବଢ଼ିଛି, କିନ୍ତୁ ଟିକସ କମାଇନାହାନ୍ତି ସରକାର । ଏପଟେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ଦର୍ଶାଇ ମନଇଚ୍ଛା ତେଲ ଦର ବଢ଼ାଇ ଚାଲିଛନ୍ତି ତୈଳ କଂପାନୀ ।

୨୦୧୭ ଜୁନ ମାସରୁ ପ୍ରାୟ ପ୍ରତିଦିନ ସକାଳେ ୬ଟାରେ ତେଲ ଦର ସଂଶୋଧନ କରାଯାଉଛି । ଅନ୍ତର୍ଜାତୀୟ ବଜାର ଓ ଟଙ୍କାର ବିନିମୟ ମୂଲ୍ୟ ଆଧାରରେ ତେଲ ଦର ଦୈନିକ ସଂଶୋଧନ ହୋଇଥାଏ । ହେଲେ ଅଶୋଧିିତ ତେଲ କେତେ ଟଙ୍କା ଦେଇ କଂପାନୀଗୁଡିକ କିଣୁଛନ୍ତି, କେତେ ଟଙ୍କା ବିଶୋଧନ ପାଇଁ ଖର୍ଚ୍ଚ ହେଉଛି, ତାହା ଜଣାଉନାହାନ୍ତି ତେଳ କଂପାନୀ ।

କେଉଁଠି କେତେ ତେଲ ଦର?

  • କାଲିମେଳା : ପେଟ୍ରୋଲ – ୯୪ ଟଙ୍କା ୯୧ ପଇସା, ଡିଜେଲ – ୯୧ ଟଙ୍କା ୩୯ ପଇସା
  • ମାଲକାନଗିରି : ପେଟ୍ରୋଲ – ୯୪ ଟଙ୍କା ୬ ପଇସା, ଡିଜେଲ – ୯୦ ଟଙ୍କା ୬୪ ପଇସା
  • ନବରଙ୍ଗପୁର :  ପେଟ୍ରୋଲ – ୯୩ ଟଙ୍କା ୫୧ ପଇସା, ଡିଜେଲ – ୯୦ ଟଙ୍କା ୧୦ ପଇସା
  • ଜୟପୁର : ପେଟ୍ରୋଲ – ୯୩ ଟଙ୍କା ୨୮ ପଇସା, ଡିଜେଲ – ୮୯ ଟଙ୍କା ୮୮ ପଇସା
  • ସମ୍ବଲପୁର :  ପେଟ୍ରୋଲ – ୮୯ ଟଙ୍କା ୯୮ ପଇସା, ଡିଜେଲ – ୮୬ ଟଙ୍କା ୭୧ ପଇସା
  • ସୁନ୍ଦରଗଡ଼ :  ପେଟ୍ରୋଲ – ୮୯ ଟଙ୍କା ୫୧ ପଇସା, ଡିଜେଲ – ୮୬ ଟଙ୍କା ୨୫ ପଇସା
  • ବ୍ରହ୍ମପୁର :  ପେଟ୍ରୋଲ – ୯୦ ଟଙ୍କା ୫୧ ପଇସା, ଡିଜେଲ – ୮୭ ଟଙ୍କା ୩୩ ପଇସା
  • ଭୁବନେଶ୍ୱର :  ପେଟ୍ରୋଲ – ୮୯ ଟଙ୍କା ୪୩ ପଇସା, ଡିଜେଲ – ୮୬ ଟଙ୍କା ୧୫ ପଇସା
  • କଟକ : ପେଟୋଲ – ୮୯ ଟଙ୍କା ୭୩ ପଇସା, ଡିଜେଲ – ୮୬ ଟଙ୍କା ୪୩ ପଇସା