ଶ୍ରୀଲଙ୍କାରେ ଭୟଙ୍କର ତେଲ ସଙ୍କଟ । ପେଟ୍ରୋଲ ଦର ପାଖାପାଖି ୫୦୦, ଡିଜେଲ ଦର ୪୫୦ ପାର । ତେଲ ବଞ୍ଚାଇବାକୁ ୨ ସପ୍ତାହ ସ୍କୁଲ ବନ୍ଦ କଲେ ସରକାର ।

158

କନକ ବ୍ୟୁରୋ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ତେଲ ଅଭାବ ଉତ୍କଟ ରୂପ ଧାରଣ କରିଛି । ଯାହାଫଳରେ ଏବେ ସାଧାରଣ ଜୀବନ ଯାପନ ବ୍ୟାପକ ରୂପେ ପ୍ରଭାବିତ ହୋଇଛି । ସାଧାରଣ ଲୋକ କୌଣସି ଜରୁରୀ ସାମଗ୍ରୀ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହୁଛନ୍ତି । କାରଣ ତେଲ ବିନା ପରିବହନ ସେବା ଏକପ୍ରକାର ଠପ୍ ହୋଇଯାଇଛି । ଆଉ ଏସବୁ ଭିତରେ ପେଟ୍ରୋଲ ଓ ଡିଜେଲର ଦର ଆକାଶଛୁଆଁ ହୋଇଛି । ଏହାସତ୍ତେ୍ୱ ମଧ୍ୟ ଠିକ୍ ସମୟରେ ଲୋକଙ୍କ ପାଖରେ ପେଟ୍ରୋଲ ଓ ଡିଜେଲ ପହଞ୍ଚି ପାରୁନାହିଁ ।

ଲଗାତାର ଇନ୍ଧନ ଦର ବଢିବା କାରଣରୁ ଏବେ ପେଟ୍ରୋଲ ଦର ୪୭୦ ଓ ଡିଜେଲ ଦର ୪୬୦ ଟଙ୍କାରେ ପହଞ୍ଚିଲାଣି । ଦରବୃଦ୍ଧି ପରେ ମଧ୍ୟ ପେଟ୍ରୋଲ ପମ୍ପ ସାମ୍ନାରେ ଘଣ୍ଟା ଘଣ୍ଟା ଧରି ଲୋକେ ଅପେକ୍ଷା କରି ରହୁଛନ୍ତି । ଇନ୍ଧନ ଓ ତୈଳ ସଙ୍କଟ ଏତେ ଉତ୍କଟ ରୂପ ଧାରଣ କରିଛି ଯେ, ସମସ୍ତ ସ୍କୁଲ ଓ ଅତି ଆବଶ୍ୟକୀୟ ନଥିବା ସଂସ୍ଥାକୁ ୨ ସପ୍ତାହ ପାଇଁ ବନ୍ଦ କରି ଦେଇଛନ୍ତି ଶ୍ରୀଲଙ୍କା ସରକାର । ଯେହେତୁ ବିଦେଶରୁ ଆସୁଥିବା ତେଲ ଠିକ୍ ସମୟରେ ଶ୍ରୀଲଙ୍କାରେ ପହଞ୍ଚିପାରୁନି ତେଣୁ ଏଭଳି ସମସ୍ୟା ଉପୁଜୁଛି । ବ୍ୟାଙ୍କିଙ୍ଗ ସମସ୍ୟା କାରଣରୁ ଏଭଳି ସ୍ଥିତି ଦେଖାଦେଉଥିବା କୁହାଯାଉଛି ।

ଏସବୁ ଭିତରେ ଋଷ ଠାରୁ ଶସ୍ତାରେ ତେଲ କିଣିବାକୁ ଶ୍ରୀଲଙ୍କା ନିଷ୍ପତ୍ତି ନେଇଥିବା କୁହାଯାଉଛି । ଯେହେତୁ ବିଦେଶ ମୁଦ୍ରା ଶ୍ରୀଲଙ୍କା ପାଖରେ ସେତେଟା ନାହିଁ ତେଣୁ ଶସ୍ତାରେ ଋଷ ଠାରୁ ତେଲ କିଣିବା ଶ୍ରୀଲଙ୍କା ପାଇଁ ଏବେ ସବୁଠୁ ବଡ ବିକଳ୍ପ ସାଜିଛି ।