ପକେଟରେ ନିଆଁ ଲଗାଇଲା ପେଟ୍ରୋଲ ଦର ! ୪ ବର୍ଷରେ ସବୁଠୁ ଅଧିକ, ଓଡ଼ିଶାରେ ଟପିଲା ୭୨ ।

25

କନକ ବ୍ୟୁରୋ : ପକେଟ୍ ଉପରେ ପୁଣି ମାଡ କରିଛି ପେଟ୍ରୋଲ । ଓଡିଶାର ବିଭିନ୍ନ ସହର ଗୁଡିକରେ ପେଟ୍ରୋଲ ଦର ୭୨ ଟପିଯାଇଛି । ୪ ବର୍ଷ ପରେ ପୁଣିଥରେ ପେଟ୍ରୋଲ ମାଡ ସାଧାରଣ ଜନତାଙ୍କୁ ଅସୁବିଧାରେ ପକାଇଦେଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି କାରଣରୁ ପେଟ୍ରୋଲ ଓ ଡିଜେଲ୍ ମହଙ୍ଗା ହୋଇଯାଇଛି ।

ପେଟ୍ରୋଲ ଓ ଡିଜେଲର ମହଙ୍ଗା ମାଡ । ହୁ ହୁ ହୋଇ ବଢିଚାଲିଛି ତେଲ ଦର । ୪ ବର୍ଷର ରେକର୍ଡ ଭାଙ୍ଗିଛି ପେଟ୍ରୋଲ । ଦିଲ୍ଲୀରେ ଲିଟର ପିଛା ୭୩ ଟଙ୍କା ୭୩ ପଇସା ଥିବା ବେଳେ ଭୁବନେଶ୍ୱରରେ ପେଟ୍ରୋଲ ଲିଟରକୁ ୭୨ ଟଙ୍କା ୬୭ ପଇସାରେ ବିକ୍ରି ହେଉଛି । ସେହିପରି ଡିଜେଲ ଦର ବି ସବୁ ରେକର୍ଡ ଟପିଛି । ଦିଲ୍ଲୀରେ ଡିଜେଲ୍ ଲିଟର ପିଛା ୬୪ ଟଙ୍କା ୫୮ ପଇସା ଥିବା ବେଳେ ଭୁବନେଶ୍ୱରରେ ପାଖାପାଖି ୫ ଟଙ୍କା ଅଧିକ ରହିଛି । ଡିଜେଲ ଲିଟରକୁ ୬୯ ଟଙ୍କା ୪୦ ପଇସାରେ ବିକ୍ରି ହେଉଛି । ..

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ଘଟିବାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ୍ ଦର ବଢୁଛି । ୨୦୧୪ରୁ ୨୦୧୬ ଜୁନ୍ ମଧ୍ୟରେ ଅଶୋଧିତ ତୈଳ ଦର ହଠାତ୍ ହ୍ରାସ ପାଇଥିଲା ତେବେ ଗତବର୍ଷ ଜୁଲାଇ ୧ରୁ ତାହା ୪୭ ପ୍ରତିଶତରେ ସ୍ଥିର ହୋଇ ରହିଛି । ଏଥିସହ ଅଶୋଧିତ ତୈଳର ବିଶୋଧନ, ପ୍ରବେଶ କର, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ଏବଂ ଡିଲରର ଲାଭକୁ ମିଶାଇଲେ ତେଲ ହୋଇଯାଏ ମହଙ୍ଗା । ତେଲ ଦର ନିୟନ୍ତ୍ରଣ ପାଇଁ ଉତ୍ପାଦନ ଶୁଳ୍କ ହ୍ରାସ ସହ ଜିଏସଟି ପରିସରଭୁକ୍ତ କରିବାକୁ ଦାବି ହୋଇଛି ।

rising-petrol-prices-what-narendra-modi-saidଅନ୍ୟପଟେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ପ୍ରତିବାଦରେ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜୁ ଯୁବ ଛାତ୍ର ଜନତା ଦଳ । ଶତାଧିକ କର୍ମୀ ବିରାଟ ରାଲି କରି କେନ୍ଦ୍ର ସରକାର ବିରୋଧରେ ନାରାବାଜି କରିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ କରିବା ସହ କେନ୍ଦ୍ର ତାର ପ୍ରତିଶ୍ରୁତି ରକ୍ଷା କରିନି ବୋଲି ଅଭିଯୋଗ କରିଛି ବିଜୁ ଛାତ୍ର ଜନତା ଦଳ । ଏସବୁ ଭିତରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ତୈଳ ଦର ବୃଦ୍ଧି ନିୟନ୍ତ୍ରଣ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ ।