ଆନ୍ଧ୍ର ମୁହାଁ ବାତ୍ୟା ‘ପେଥାଇ’ : କାଲିଠୁଁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ଦିନ ଧରି ବର୍ଷା, ଚାଷୀଙ୍କ ପାଇଁ ସତର୍କ ସୂଚନା

275

କନକ ବ୍ୟୁରୋ: ଆନ୍ଧ୍ର ଉପକୂଳକୁ ପୁଣି ମାଡି ଆସୁଛି ବାତ୍ୟା । ଆସନ୍ତା ୧୭ ତାରିଖରେ ଆନ୍ଧ୍ରପ୍ରଦେଶର ଓଙ୍ଗୋଲ ଏବଂ କାକିନାଡା ମଧ୍ୟରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁବ । ଏହି ବାତ୍ୟାର ନାଁ ରଖାଯାଇଛି ପେଥାଇ । ବାତ୍ୟା ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଦକ୍ଷିଣ ଓଡିଶାର ୬ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ଜିଲ୍ାପାଳଙ୍କୁ ସତର୍କ କରାଯାଇଛି । ତେବେ ଧାନ ଅମଳ ସମୟରେ ବର୍ଷା ସମ୍ଭାବନା ଚାଷୀର ଚିନ୍ତା ବଢାଇଦେଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଆସନ୍ତା ୨୪ ଘଂଟା ମଧ୍ୟରେ ଘୂର୍ଣ୍ଣିବାତ୍ୟାର ରୂପ ନେଇପାରେ । ପାଣିପାଗ ବିଭାଗ ଆକଳନ କରିଛି, ଆସନ୍ତା ୧୭ ତାରିଖ ଅପରାହ୍ନରେ ବାତ୍ୟା ପେଥାଇ, ଆନ୍ଧ୍ରର ଓଙ୍ଗୋଲ ଓ କାକିନାଡା ମଧ୍ୟରେ ସ୍ଥଳ ଭାଗ ଛୁଇଁବ । ଉତର ତାମିଲନାଡୁ ଏବଂ ପୁଡୁଚେରୀକୁ ମଧ୍ୟ ବାତ୍ୟା ପ୍ରଭାବିତ କରିବା ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ପବନର ବେଗ ଘଂଟାପ୍ରତି ୫୫ରୁ ୧୧୦ କିଲୋମିଟର ଯାଏଁ ରହିପାରେ ।

ବାତ୍ୟା ପ୍ରଭାବରେ ୧୫ରୁ ୧୭ ତାରିଖ ଯାଏଁ ବଙ୍ଗୋପସାଗର ଉପକୂଳ ଅଶାନ୍ତ ରହିବ । ଆସନ୍ତାକାଲିଠୁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବ । ୧୬ ଏବଂ ୧୭ ତାରିଖରେ ପ୍ରବଳ ବର୍ଷା ଏବଂ ୧୮ ତାରିଖରେ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ଓଡିଶାର ୬ଟି ଜିଲ୍ଲା ମାଲକାନଗିରି, କଳାହାଣ୍ଡି, କୋରାପୁଟ, ରାୟଗଡା, ନବରଙ୍ଗପୁର ଓ କନ୍ଧମାଳରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ  ଦିଆଯାଇଛି । ବର୍ଷା ଯୋଗୁଁ ବ୍ୟାପକ ଫସଲ କ୍ଷତି ହେବା ସମ୍ଭାବନା ଥିବାରୁ ପାଚିଲା ଧାନକୁ ତୁରନ୍ତ ଜମିରୁ ଆଣି ସୁରକ୍ଷିତ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ।

ଏପଟେ ଖଳାରେ ପଡିରହିଛି ପାଚିଲା ଧାନ । ମଣ୍ଡିରେ ବି ଖୋଲା ଆକାଶ ତଳେ ଫସଲ ବିକ୍ରି ଅପେକ୍ଷା ରହିଛି । ଧାନ ଅମଳ ସମୟରେ ବର୍ଷା ଆକଳନ ପରେ ଚାଷୀ ମନରେ ଛନକା ପଶିଛି । ବର୍ଷା ଦାଉରୁ ଫସଲ ରକ୍ଷା କରିବାକୁ ଅଂଟା ଭିଡିଛି ଚାଷୀ । ହେଲେ ପରିଶ୍ରମର ଫସଲ ସୁରକ୍ଷିତ ରଖିବାକୁ ପାଖରେ ସମୟ ନାହିଁ । ଦୁଇ ମାସ ତଳେ ବାତ୍ୟା ତିତଲି ଏବଂ ଏହାର ପ୍ରଭାବରେ ହୋଇଥିବା ବର୍ଷାରେ ଓଡିଶାରେ ବଡ ଧରଣର କ୍ଷୟକ୍ଷତି ହୋଇଥିଲା । ତିତଲି ତାଣ୍ଡବକୁ ଦୁଇ ମାସ ଯାଇନି , ଏବେ ମାଡି ଆସୁଛି ବାତ୍ୟା ପେଥାଇ ।