ବିମାନବନ୍ଦରକୁ ବଞ୍ଚାଇ ପାରିବ ତ ବଞ୍ଚାଇ ନିଅ । ଦିଲ୍ଲୀ ବିମାନବନ୍ଦରକୁ ଉଡାଇଦେବାକୁ ଫୋନ୍ କଲ ଯୋଗେ ମିଳିଲା ଧମକ ।

1,111

ଦିଲ୍ଲୀ ବିମାନବନ୍ଦର ଉଡାଇବାକୁ ମିଳିଲା ଧମକ । ଫୋନ୍ ଯୋଗେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଉଡାଇବାକୁ ଧମକ ମିଳିବା ପରେ ସଜାଗ ହୋଇଛି ପୋଲିସ । ସୋମବାର ସନ୍ଧ୍ୟା ୮ଟା ୪୯ ସମୟରେ ଟର୍ମିନାଲ-୨କୁ ଏକ ଫୋନ୍ କଲ ଆସିଥିଲା । ଯେଉଁଥିରେ ବିମାନବନ୍ଦରକୁ ଯଦି ବଞ୍ଚାଇ ପାରିବ ତ ବଞ୍ଚା ବୋଲି ଖୋଲିଖୋଲି ଧମକ ମିଳିଥିଲା ।

ତେବେ ଫୋନ୍ କଲ ମିଳିବା ପରେ ଯାଞ୍ଚ ଆରମ୍ଭ କରିଥିଲା ପୋଲିସ । ଏପରିକି କଲ୍ ଆସିଥିବା ଫୋନ୍ ନମ୍ବରକୁ ଟ୍ରାକ୍ କରି ଉକ୍ତ ବ୍ୟକ୍ତିଙ୍କୁ ଧରିଥିଲା ପୋଲିସ । ତେବେ ଧରାପଡିବା ପରେ ଏଭଳି କୌଣସି ଫୋନ୍ କରିନଥିବା କହିଥିଲେ ଉକ୍ତ ବ୍ୟକ୍ତି । ଏଭଳି ଘଟଣା ପରେ ପୋଲିସ ଆକ୍ଟିଭ ମୋଡକୁ ଆସିଛି । ପୂରା ବିମାନବନ୍ଦରର ଯାଞ୍ଚ କରିବା ସହ ପ୍ରତ୍ୟେକ ଯାତ୍ରୀଙ୍କ ଉପରେ କଡା ନଜର ରଖିଛି ।

ଏହାପୂର୍ବରୁ ଗତକାଲି ଗୁଇନ୍ଦା ବିଭାଗ ପକ୍ଷରୁ ମଧ୍ୟ ଦିଲ୍ଲୀ ପୋଲିସକୁ ସତର୍କ କରାଯାଇଛି । ସ୍ୱାଧୀନତା ଦିବସରେ ଆତଙ୍କବାଦୀ ମାନେ ଲାଲକିଲ୍ଲା ଓ ଏହାର ପାଖଆଖ ଅଞ୍ଚଳରେ ବଡ ଧରଣର ଆକ୍ରମଣ କରିପାରନ୍ତି ବୋଲି ଦିଲ୍ଲୀ ପୋଲିସକୁ ଆଲର୍ଟ କରିଛି ଗୁଇନ୍ଦା ବିଭାଗ । ଆତଙ୍କବାଦୀ ମାନେ ସରକାରୀ ଗାଡି ଓ ସରକାରୀ ପୋଷାକରେ ଏଭଳି ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଥିବା ନେଇ ସତର୍କ କରିଛି ଗୁଇନ୍ଦା ବିଭାଗ ।