କରୋନା କାଳରେ ଆସନ୍ତାକାଲି ଆସୁଛି ସାଧାରଣ ବଜେଟ୍ । ମହାମାରୀ ମାଡ଼ରେ ହନ୍ତସନ୍ତ ହେଉଛି ସାଧାରଣ ମଣିଷ । କନକ ନ୍ୟୁଜକୁ କହିଲେ, ମୋଦୀଙ୍କ ବଜେଟରୁ କ’ଣ ରଖିଛନ୍ତି ଆଶା

77

କନକ ବ୍ୟୁରୋ : କଟକ ଲିଙ୍କରୋଡରେ ରହନ୍ତି ରଘୁନାଥ ମହାନ୍ତିଙ୍କ ପରିବାର । ରଘୁନାଥ ମହାନ୍ତିଙ୍କ ପରିବାର କହିଲେ ୪ ପ୍ରାଣୀ । ଦୋକାନ ବ୍ୟବସାୟରୁ ପ୍ରାୟ ୨୮ରୁ ୩୦ ହଜାର ଟଙ୍କା ରୋଜଗାର ହୁଏ । ମଝିରେ ୬ ମାସ ବନ୍ଦ ରହିବା ପରେ ଏବେ ଖୋଲିଛି ଆଉ ବେପାର ବି ହେଉଛି ।

ଝିଅ ପୁଅର ପଢାପଢିରେ ୧୦ ହଜାର ଟଙ୍କା ଖର୍ଚ୍ଚ ହୋଇଯାଏ । ରଘୁନାଥବାବୁ ଓ ପତ୍ନଙ୍କ ମେଡିସିନରେ ଖର୍ଚ୍ଚ ହୁଏ ୭ ହଜାର ଟଙ୍କା । ଘର ଖର୍ଚ୍ଚ ପାଇଁ ପ୍ରାୟ ଲାଗିଯାଏ ୫ ହଜାର ଟଙ୍କା । ଆହୁରି ଅନ୍ୟ ଖର୍ଚ୍ଚ ବି ଅଛି । ଏଥର ବଜେଟରୁ ସେମିତି ବହୁତ କିଛି ଆଶା ରଖିନାହାନ୍ତି । କିନ୍ତୁ ଅର୍ଥମନ୍ତ୍ରୀଙ୍କୁ ଜଣାଇବାକୁ ଚାହିଁଛନ୍ତି ତାଙ୍କ ଭଳି ଲୋକଙ୍କ ସମସ୍ୟାର ସମାଧାନ ପାଇଁ କିଛି ଗୋଟାଏ ପଦକ୍ଷେପ ନିଆଯାଉ ।

ସେପଟେ କେନ୍ଦ୍ରାପଡାର ବି ଏହି ପରିବାର ଆଶା ରଖିଛନ୍ତି ସରକାର ମଧ୍ୟବିତ ପରିବାର ପ୍ରତି ଧ୍ୟାନଦେବେ । ବିଶେଷକରି ଦରଦାମ ବୃଦ୍ଧି କ୍ଷେତ୍ରରେ କିଛି କରିବେ । କେବଳ ମଧ୍ୟବିତ୍ତ ପରିବାର ନୁହନ୍ତି, କରୋନା ଦ୍ୱାରା ମାଲକାନଗିରିର ବେପାରି ଓ ଚାକିରିଆ ବି ପ୍ରଭାବିତ ହୋଇଛନ୍ତି । ତେଣୁ କେନ୍ଦ୍ର ସରକାର ଏ ଦିଗରେ ବିଶେଷ ଧ୍ୟାନ ଦେବେ ବୋଲି ଆଶା ରଖିଛନ୍ତ ଏହି ବର୍ଗ ।

ସମସ୍ତଙ୍କ ଅପେକ୍ଷା ସୋମବାରଦିନ କେନ୍ଦ୍ର ବଜେଟରେ ନିର୍ମଳା ସୀତାରମଣ କଣ ଘୋଷଣା କରିବେ । ବିଶେଷକରି ବ୍ୟବସାୟ ବଢାଇବା ଓ ମଧ୍ୟବିତଙ୍କ ପାଇଁ କିଛି ଭଲ ଖବର ଆଣିବାକୁ ଆଶା ରଖିଛି ସାରା ଦେଶ ।