କରୋନା ଟେଷ୍ଟ କରାନ୍ତୁ, ପିଜା ଖାଆନ୍ତୁ । କୋଭିଡ୍ ପରୀକ୍ଷା କରାଇଲେ ମାଗଣାରେ ମିଳିବ ପିଜା । ଜାଣନ୍ତୁ କେଉଁଠି ମିଳୁଛି ଏହି ସୁବିଧା ।

170

କନକ ବ୍ୟୁରୋ : କରୋନା ଟେଷ୍ଟ କରାନ୍ତୁ, ପିଜା ଖାଆନ୍ତୁ । କୋଭିଡ୍ ପରୀକ୍ଷା କରାଇଲେ ମାଗଣାରେ ମିଳିବ ପିଜା । କରୋନା ଭାଇରସର ଦ୍ୱିତୀୟ ଲହର ସଂକ୍ରମଣ ପୂରା ବିଶ୍ୱରେ କାୟା ମେଲାଇଥିବା ବେଳେ, ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ପ୍ରାୟତଃ ସବୁ ଦେଶ କଟକଣା ଜାରି କରିଛନ୍ତି । ବିଶେଷ କରି ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ଆଉ ଏହାରି ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, କରୋନା ଟେଷ୍ଟ ।

ବଢୁଥିବା ସଂକ୍ରମଣ ଚିନ୍ତା ବଢାଉଥିବା ବେଳେ, ସଂକ୍ରମଣ ଚିହ୍ନଟ କରିବାକୁ ଟେଷ୍ଟ ହିଁ ଏକମାତ୍ର ମାଧ୍ୟମ । ଯଦି ଆପଣଙ୍କ ଠାରେ କରୋନାର କିଛି ବି ଲକ୍ଷଣ ଦେଖାଯାଉଛି, ତେବେ ତୁରନ୍ତ କରୋନା ପରୀକ୍ଷା କରାଇନେବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି । ହେଲେ ଅନେକ ଲୋକ ଏହାକୁ ଅଣଦେଖା କରୁଥିବାର ନଜିର ରହିଛି । ଶରୀରରେ ଲକ୍ଷଣ ଦେଖାଦେଲେ ମଧ୍ୟ ଅନେକ ଲୋକ ଏହାକୁ ସାଧାରଣ ଜର ଥଣ୍ଡା ଭାବି ଅଣଦେଖା କରୁଛନ୍ତି । ତେବେ ଏମିତି ଲୋକଙ୍କୁ ଉତ୍ସାହିତ କରିବା ପାଇଁ ନିଆରା ଉପାୟ ଆପଣେଇଛି ସିଡନୀର ଏକ ପିଜା ଦୋକାନ ।

ଯେଉଁମାନେ କରୋନା ଟେଷ୍ଟ କରାଇବାକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି, ସେମାନଙ୍କୁ ମାଗଣାରେ ପିଜା ବଂଟନ କରୁଛି ସିଡନୀର ପୂର୍ବ ସମୁଦ୍ର କୂଳରେ ଥିବା ସାଇଟ୍ ପିଜା ବାରର ମାଲିକ ଗ୍ଲେନ୍ ମେଜି ଏବଂ ତାଙ୍କ ସହକର୍ମୀ । ଗ୍ଲେନଙ୍କ କହିବା ଅନୁଯାୟୀ, କରୋନା ଟେଷ୍ଟ କରାଇବା ପାଇଁ ଅନେକ ଲୋକ ଆସୁଛନ୍ତି, ଏବଂ ଘଂଟା ଘଂଟା ଧରି ଧାଡିରେ ଛିଡା ହୋଇରହୁଛନ୍ତି । ସେମାନଙ୍କ ଭୋକ ସାମାନ୍ୟ ଦୂର କରିବା ପାଇଁ ଏବଂ କରୋନା ପରୀକ୍ଷା କରାଇବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସେ ଏପରି ପଦକ୍ଷେପ ନେଇଛନ୍ତି ।

ତେବେ ସିଡନୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ, କୋଭିଡ୍ ପରୀକ୍ଷା କରାଇବା ପାଇଁ ଲୋକେ ଘଂଟା ଘଂଟା ଧରି ଲାଇନରେ ଛିଡା ହେଉଛନ୍ତି । ଏପରିକି ଅନେକ ଲୋକ ମଧ୍ୟ କରୋନା ପରୀକ୍ଷା କରାଇବା ପାଇଁ ଆସୁନାହାନ୍ତି । ଏହାରି ଭିତରେ ସମସ୍ତଙ୍କ ମନ କିଣିନେଇଛନ୍ତି ଗ୍ଲେନ୍ ମେଜି । ସମସ୍ତେ ଗ୍ଲେନଙ୍କୁ ଭୂରି ଭୂରି ପ୍ରଂଶସା କରୁଥିବା ବେଳେ, ଏଥିରେ ପ୍ରୋତ୍ସାହିତ ହୋଇ ଅନେକ ଲୋକ କରୋନା ପରୀକ୍ଷା କରାଇବାକୁ ଆସୁଥିବା ମଧ୍ୟ ଦେଖିବାକୁ ମିଳିଛି ।