ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ । ନିୟମ କୋହଳ ହେଲା, ଭୁବନେଶ୍ୱରବାସୀଙ୍କ ପୁରୁଣା ରୋଗ ବାହାରିଲା ।

646

କନକ ବ୍ୟୁରୋ : ଆଗାମୀ ୩ ମାସ ପର୍ଯ୍ୟନ୍ତ ଜରିମାନା ଆଦାୟ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଟ୍ରାଫିକ ନିୟମକୁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି ରାଜଧାନୀବାସୀ । ଯେମିତି ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ସ୍ମାର୍ଟସିଟିର ସ୍ମାର୍ଟବାସିନ୍ଦା । ସାଧାରଣ ଲୋକ ଯେପରି ହଇରାଣ ନ ହୁଅନ୍ତୁ ସେଥିପାଇଁ ନିୟମ କୋହଳ କରିଯିବା ମାତ୍ରେ ପୁଣିଥରେ ଭୁବନେଶ୍ୱରବାସୀଙ୍କର ପୁରୁଣା ରୋଗ ବାହାରିଛି । ନିୟମ କୋହଳ ପରେ କେମିତି ରହିଛି ରାଜଧାନୀର ଚିତ୍ର । ଗ୍ରାଉଣ୍ଡ ଜିରୋରୁ ଏହାର ସ୍ଥିତି ପରଖିଥିଲା କନକ ନ୍ୟୁଜ୍ । ଭୁବନେଶ୍ୱରର ହାର୍ଟ କୁହାଯାଉଥିବା ମାଷ୍ଟର କ୍ୟାଣ୍ଟିନ ଠାରେ ମାତ୍ର ୧୦ ମିନିଟ୍ ମଧ୍ୟରେ କ୍ୟାମେରାରେ ଟ୍ରାଫିକ ନିୟମ ଉଲ୍ଲଂଘନର ଯେଉଁ ଚିତ୍ର କଏଦ ହୋଇଥିଲା ଲାଗୁଥିଲା ସତେ ଯେମିତି ବାଇକ ଚାଳକ ମାନେ ନିୟମ ଭାଙ୍ଗିବାକୁ ନିଜର ଅଧିକାର ବୋଲି ଧରି ନେଇଛନ୍ତି ।

ମାଷ୍ଟର କ୍ୟାଣ୍ଟିନରେ ୧୦ ମିନିଟ୍ ମଧ୍ୟରେ ଟ୍ରାଫିକ ନିୟମ ଉଲ୍ଲଂଘନର ଅନେକ ଚିତ୍ର କଏଦ କରିଥିଲା ଆମ କ୍ୟାମେରା ଟିମ୍ । ଖାସକରି ଯେଉଁ ୫ଟି ନିୟମ ଉପରେ ଟ୍ରାଫିକ ପୋଲିସ କଡା ନଜର ରଖିଛି, ତାହାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିବା ସହ ଟ୍ରାଫିକ ଆଖିରେ ଧୂଳି ଦେଇ ସାପ ଭଳି ଦ୍ରୁତ ଗତିରେ ମାଡି ଯାଉଛନ୍ତି ବାଇକ ଚାଳକ । ୧୦ ମିନିଟ୍ ମଧ୍ୟରେ ୧୦ରୁ ଅଧିକ ବାଇକ ଚାଳକ ବିନା ହେଲମେଟରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା । ଖାଲି ଏତିକି ନୁହେଁ ଟ୍ରିପଲ ରାଇଡ, ସାପ ଭଳି ଗାଡି ଚଳାଉଥିବା ଗାଡି ଚାଳକ ମଧ୍ୟ କ୍ୟାମେରାରେ କଏଦ ହୋଇଥିଲେ । ଏପରିକି କିଛି ବାଇକ ଚାଳକ ରଙ୍ଗ ରୁଟରେ ପଶି ଯାଉଥିବା ବେଳେ ମୋବାଇଲରେ କଥା ହୋଇ ଯାଉଥିବା ଚାଳକଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନଥିଲା ।

ନିୟମ କୋହଳ ହେବା ପରେ ପୁଣିଥରେ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ଉତ୍ପାତ ଦେଖିବାକୁ ମିଳିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା ତାହାର ଝଲକ ପୁଣିଥରେ ଦେଖିବାକୁ ମିଳିଛି । ଯେଉଁଠି ହେଲମେଟ ପିନ୍ଧିବା, ଗାଡିରେ ଯାଉଥିବା ବେଳେ ମୋବାଇଲରେ କଥା ନ ହେବାକୁ ଲୋକେ ସଚେତନ ହେଉନାହାନ୍ତି ସେଠାରେ ଗାଡିର କାଗଜପତ୍ର ରଖିବେ କଣ? ଜରିମାନା ନାଁରେ ଟ୍ରାଫିକ ଅଧିକାରୀ ଜୁଲୁମ କରୁଥିବା ନେଇ ଯେଉଁମାନେ ମୁହଁତୋଡ ଦେଖାଉଥିଲେ, ଟ୍ରାଫିକ ଉଲ୍ଲଂଘନକାରୀଙ୍କ ଏଭଳି ହରକତ ସେମାନଙ୍କ ଗାଲରେ ଏକ ଶକ୍ତ ଜାବୁଡା ମାରିଛି ।