ଜାତୀୟ ସ୍ମାରକ କର୍ତ୍ତୃପକ୍ଷଙ୍କ ବାଇ-ଲ’କୁ ଭୁବନେଶ୍ୱର ବାସିନ୍ଦାଙ୍କ ବିରୋଧ । ଲିଙ୍ଗରାଜ ମନ୍ଦିର ଆଗରେ ଜଳିଲା ହଜାର ହଜାର ଦୀପ ।

59

କନକ ବ୍ୟୁରୋ: ଜାତୀୟ ସ୍ମାରକ କର୍ତ୍ତୃପକ୍ଷଙ୍କ ବାଇ-ଲ’କୁ ଭୁବନେଶ୍ୱର ବାସିନ୍ଦାଙ୍କ କଡା ବିରୋଧ । ଆଜି ଲିଙ୍ଗରାଜ ମନ୍ଦିର ଆଗରେ ପ୍ରାୟ ୫ ମାଇଲ ଦୂରତା ଯାଏଁ ସାମୂହିକ ଦୀପ ଦାନ କରି ବିରୋଧ କରିଛନ୍ତି ହଜାର ହଜାର ଲୋକ । ପ୍ରାୟ ୧୦ହଜାର ରାଜଧାନୀ ବାସିନ୍ଦା ଦୀପ ଦାନ କରି ତୁରନ୍ତ ବାଇ-ଲ’କୁ ହଟାଇବାକୁ ଦାବି କରିଛନ୍ତି ।

ନେସନାଲ ମନୁମେଣ୍ଟ ଅଥରିଟି ଜାତୀୟ ସ୍ମାରକ କର୍ତୃପକ୍ଷଙ୍କ ବାଇ-ଲକୁ ଗ୍ରହଣ କରୁନାହିଁ ଭୁବନେଶ୍ୱର । ବାଇ-ଲ’କୁ ବିରୋଧ କରି ଏହି ଦୀପ ଦାନ କରାଯାଇଛି । ପ୍ରାୟ ୧୦ ହଜାର ଦୀପ ଜଳାଇ ଲୋକେ ଦାବି କରିଛନ୍ତି ପୁରୀ ଭଳି ଏକାମ୍ର କ୍ଷେତ୍ରରୁ ମଧ୍ୟ ବାଇ-ଲ’କୁ ପ୍ରତ୍ୟାହାର କରାଯାଉ । ଜାତୀୟ ସ୍ମାରକ କର୍ତୃପକ୍ଷ ଏକ ଡ୍ରାଫ୍ଟ ବାଇ ଲ ପ୍ରସ୍ତୁତ କରି ବିଭିନ୍ନ କଟକଣା ଜାରି କରିଛନ୍ତି । ଏହି କଟକଣା ଅନୁସାରେ ଶହେ ମିଟର ପର୍ଯ୍ୟନ୍ତ କୌଣସି ସରକାରୀ କିମ୍ବା ବେସରକାରୀ ନିର୍ମାଣ ହୋଇପାରିବ ନାହିଁ ଏବଂ ଆଉ ୨ଶହ ମିଟର ପର୍ଯ୍ୟନ୍ତ କୌଣସି ବି ନିର୍ମାଣ ପାଇଁ ଜାତୀୟ ସ୍ମାରକ କର୍ତୃପକ୍ଷଙ୍କ ଅନୁମତି ନେବାକୁ ହେବ ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଲେଖିଛନ୍ତି, ସ୍ମାରକ କର୍ତୃପକ୍ଷ ତୁରନ୍ତ ଏହି ବାଇ-ଲକୁ ପ୍ରତ୍ୟାହାର କରିବା ଦରକାର । ଏଭଳି କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରିବା ଉଚିତ ଥିଲା ବୋଲି ତାଙ୍କ ଟୁଇଟରେ ଲେଖିଛନ୍ତି । ଏଥିସହ ଓଡିଶାର ସମସ୍ତ ସାଂସଦ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବା ପାଇଁ କହିଛନ୍ତି ନବୀନ ।