ବେସାହାରା କରିଦେଲା ବର୍ଷା । ଘର ଭାଙ୍ଗି ଯିବା ପରେ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି ଜଗନ୍ନାଥଙ୍କ ପରିବାର ।

77

କନକ ବ୍ୟୁରୋ : ମଣିଷ ବଞ୍ଚିବା ପାଇଁ କିଛି ଜିନିଷ ନିହାତି ଆବଶ୍ୟକ । ଯେମିତି ଖାଦ୍ୟ, ପାନୀୟ, ବସ୍ତ୍ର ଓ ବାସଗୃହ । ଏଥିରୁ ଗୋଟିଏ ନଥିଲେ, ଜଣେ କେତେ ଅସହାୟ ହୋଇପଡେ, ତାହା ଯାହା ଜୀବନରେ ଘଟିଛି ସେ ହିଁ ଜାଣିଛି । ଯଦି ମୁଣ୍ଡ ଉପରେ ଛପର ନଥିବ, ତେବେ ରାତି କେମିତି କଟିବ, ଏଇ ଚିନ୍ତା ଜଣଙ୍କୁ କେମିତି ଅସହାୟ କରିଦିଏ ତାହା ଆସନ୍ତୁ ଜାଣିବା ।

ଲଘୁଚାପ ଜନିତ ବର୍ଷା କେଉଁଠି ବନ୍ୟା ଆଣିଛି ତ ଆଉ କାହାକୁ ବାସହରା କରିଦେଇଛି । ପ୍ରବଳ ବର୍ଷାରେ ଘର ଭାଙ୍ଗି ଯିବା ପରେ ପର ଦୁଆରେ ଆଶ୍ରୟ ନେଇଛନ୍ତି ପୀଡିତ । ଲଗାଣ ବର୍ଷାରେ ଭାଙ୍ଗିଗଲା ଘର, ଜୀବନ ବଞ୍ଚାଇ ସ୍କୁଲ ବାରଣ୍ଡାରେ ପରିବାର ସହ ଆଶ୍ରୟ ନେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଆରିକମାର ଗାଁର ଜଗନ୍ନାଥ ବେହେରାଙ୍କ ପରିବାର ।

ଏଇ ଚାଳ ଛପର ଘରେ ରହୁଥଲେ ଜଗନ୍ନାଥଙ୍କ ୫ ପ୍ରାଣୀ କୁଟୁମ୍ବ । ଗତ ବର୍ଷାରେ ତାଙ୍କ ଘର ଭାଙ୍ଗି ଯିବା ପରେ ୧୩ ଦିନ ହେଲାଣି ସ୍ଥାନୀୟ ସ୍କୁଲରେ ଆଶ୍ରୟ ନେଇଛନ୍ତି ପୁରା ପରିବାର । ପତ୍ନୀ, ପଢୁଆ ପୁଅ-ଝିଅଙ୍କୁ ନେଇ ଜଗନ୍ନାଥଙ୍କ ସଂସାର । କିଛି ମାସ ହେବ ସେ ଦୁରାରୋଗରେ ପୀଡିତ ଥିବା ବେଳେ ବର୍ଷାରେ ଘର ଭାଙ୍ଗି ଯିବା ପରେ ତାଙ୍କ ଜୀବନ ଆହୁରି ଦୁର୍ବିସହ ହୋଇପଡିଛି । ପିଲା ଛୁଆଙ୍କୁ ଧରି ସ୍କୁଲ ଘରେ ରହୁଛନ୍ତି । ପ୍ରଶାସନ ପକ୍ଷରୁ ପଲିଥିନ୍ ଓ ୨ ଦିନର ରନ୍ଧା ଖାଦ୍ୟ ଦିଆଯାଇଛି । ତେବେ ଏବେ ସିନା ସ୍କୁଲ ବନ୍ଦ ଅଛି ବୋଲି ଏମାନେ ଏଠାରେ ଆଶ୍ରୟ ନେଇଛନ୍ତି । ସ୍କୁଲ ଖୋଲିଲେ ପରିବାରକୁ ଧରି କୁଆଡେ ଯିବେ ତାକୁ ନେଇ ଚିନ୍ତାରେ ଜଗନ୍ନାଥ ।