ଚିଲିକାରେ ଚାଲିଛି ବିପଦପୂର୍ଣ୍ଣ ଜଳଯାତ୍ରା । ଜୀବନକୁ ବାଜି ଲଗାଇ ଦେଶୀ ଡଙ୍ଗାରେ ପାର ହେଉଛନ୍ତି ଶହଶହ ଯାତ୍ରୀ ।

132

କନକ ବ୍ୟୁରୋ: ଚିଲିକାର ଅକାତକାତ ପାଣିରେ ଚାଲିଛି ବିପଦପୂର୍ଣ୍ଣ ଜଳଯାତ୍ରା । ଲୋକମାନେ ଜୀବନକୁ ବାଜି ଲଗାଇ ଦେଶୀଡଙ୍ଗାରେ ଚିଲିକା ପାରିହେଉଛନ୍ତି । ଜଣେ କି ଦୁଇ ଜଣ ନୁହେଁ ଶହଶହ ଯାତ୍ରୀ ଦେଶୀ ଡଙ୍ଗାରେ ଚିଲିକା ଜଳରାଶିରେ ପ୍ରାୟ ୫ କିଲୋମିଟର ପାରି ହୁଅନ୍ତି । ଚିଲିକା ମଝିରେ ସେହି ଦୃଶ୍ୟ ଦେଖିଲେ ଆପଣମାନେ ବି ଚକିତ ହୋଇଯିବେ ।

ପୁରୀ କୃଷ୍ଣପ୍ରସାଦ ବ୍ଲକର ଲୋକେ ଜିଲ୍ଲା ସଦରମହୁକମାକୁ ଯିବା ପାଇଁ ପ୍ରତିଦିନ ଚିଲିକାର ଅଥଳ ଜଳରାଶି ପାରି ହୋଇଥାନ୍ତି । ଜହ୍ନିକୁଦା-ସାତପଡା ଚିଲିକା ଦେଇ ଯିବାକୁ ହୁଏ । ଜଳପଥରେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି । ଆଉ ଚିଲିକା ପାରି ହେବା ପାଇଁ ଦେଶୀ ଡଙ୍ଗା ହିଁ ଏକମାତ୍ର ଭରସା । ଜୀବନକୁ ବାଜିରେ ଲଗାଇ ଡଂଗାରେ ଜଳଯାତ୍ରା କରୁଥିବା ଲୋକେ ଚିଲିକାରେ ସେତୁ ନିର୍ମାଣ ପାଇଁ ଦାବି କରନ୍ତି । ସାତପଡା ଚିଲିକାରେ ସେତୁ ହେଲେ ବର୍ଷ ବର୍ଷର ସମସ୍ୟା ସାମାଧାନ ହେବ । ଆଉ ନିର୍ବାଚନ ସମୟରେ ଏହି ଦାବିକୁ ନେଇ ସବୁ ରାଜନୈତିକ ଦଳ ବେଶ ଚର୍ଚ୍ଚା କରନ୍ତି, ହେଲେ ଭୋଟ ସରିଲେ ଶୀତଳ ଭଣ୍ଡାରରେ ରହିଯାଏ କୃଷ୍ଣପ୍ରସାଦ ଲୋକଙ୍କ ଦାବି ।

ସରକାର ହୁଅନ୍ତୁ ବା ସ୍ଥାନୀୟ ରାଜନେତା କେହି କୃଷ୍ଣପ୍ରସାଦର ସମସ୍ୟା ଉପରେ ନଜର ଦେଉନାହାନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଏହି ଜଳଯାତ୍ରାର ଦୃଶ୍ୟ । ଡଙ୍ଗାରେ ଗାଡି, ମଣିଷ ଭର୍ତି ହୋଇ ଚିଲିକା ପାରି ହେଉଛନ୍ତି । ଅନେକ ସମୟରେ ଚିଲିକାରେ ଡଙ୍ଗାବୁଡି ଦୁର୍ଘଟଣା ବି ଘଟିଛି । ତଥାପି ସାତପଡାରେ ସେତୁ ନିର୍ମାଣ ପାଇଁ କାହାରି ଆନ୍ତରିକତା ନାହିଁ । ତେଣୁ ସ୍ଥାନୀୟ ଲୋକେ ଆଗକୁ ଆନ୍ଦୋଳନ କରିବାକୁ ସଜବାଜ ହେଲେଣି ।