ବର୍ଷା ଦିନେ ଜଳବନ୍ଦୀ ଜୀବନ ଜିଉଁଛନ୍ତି ପାଳଚମ୍ପେଇ ଗାଁର ୫୦ ପରିବାର । ରାସ୍ତା ନଥିବାରୁ ଦେଶୀ ଡଙ୍ଗା ଭରସା ।

36

କନକ ବ୍ୟୁରୋ : ଗାଁର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି, ମାତ୍ର ତାହା ଯେମିତି କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି । ଯାହାର ଉଦାହରଣ ହେଉଛି ବାଲିଆପାଳର ପାଳଚମ୍ପେଇ ଗାଁ । ବର୍ଷା ଦିନ ଆସିଲେ ଗାଁର ଅବସ୍ଥା କହିଲେ ନସରେ । ପାଣି ଘେରରେ ଥିବା ଏହି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ଆଉ ଯାତାୟତର ମାଧ୍ୟମ ପାଲଟିଛି ଦେଶୀ ଡଙ୍ଗା ।

ପ୍ରସାଶନର ଦୃଷ୍ଟି ଆଢୁଆଳରେ ବାଲେଶ୍ୱର ବାଲିଆପାଳ ବ୍ଲକର ପାଳଚମ୍ପେଇ ଗାଁ । ସୁବର୍ଣ୍ଣରେଖା ନଦୀ ଗର୍ଭରେ ଥିବା ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଲୋକେ । ଗମନାଗମନ ଭରଷା ପାଲଟେ ଦେଶୀ ଡ଼ଙ୍ଗା । ଅନ୍ୟପଟେ ମୌଳିକ ସୁବିଧା ଗାଁର ୫୦ଟି ପରିବାର ନଦୀରୁ ମାଛ ଧରି ଜୀବିକା ନିର୍ବାହ କରନ୍ତି । ଆବାସ ଯୋଜନାରେ ଘରଟିଏ ପାଇନଥିବାରୁ ଆଜି ଝୁମ୍ପୁଡି ଘରେ ରହୁଛନ୍ତି ଗ୍ରାମବାସୀ ।

ନିର୍ବାଚନ ସମୟରେ ପାଳଚମ୍ପେଇ ଗାଁକୁ ଆସନ୍ତି ମାଳମାଳ ନେତା । ଗ୍ରାମବାସୀଙ୍କ ଅଗଣାରେ ପୁଳାପୁଳା ପ୍ରତିଶ୍ରୁତି ରଖି ଭୋଟ ମାଗନ୍ତି । ଆଉ ଭୋଟ୍ ନେଇ ସାରିବା ପରେ ଲୋକଙ୍କ ସ୍ୱପ୍ନ ପାଣି ଫୋଟକା ଭଳି ମିଳେଇଯାଏ । ପ୍ରତିଶୃତି ସବୁ ସୁବର୍ଣ୍ଣରେଖା ନଦୀରେ ଭାସିଯାଏ ।

ଯେଉଁଠି ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡେ ସେଠି ପିଲାଙ୍କ ପାଠପଢା କଥା ନକହିଲେ ଭଲ । ସରକାର ଗ୍ରାମାଞ୍ଚଳ ବିକାଶ ପାଇଁ ଯୋଜନା କରୁଥିବା ବେଳେ ଆଜି ବି ଏମାନେ ଅପହଞ୍ଚ ହୋଇ ରହିଛନ୍ତି । ବାତ୍ୟା-ବନ୍ୟା ଆସିଲେ ଜୀବନ ଜୀବିକାକୁ ନେଇ ଆଶା ଆଶଙ୍କାରେ ରୁହନ୍ତି ଗ୍ରାମବାସୀ ।