ବ୍ରହ୍ମପୁରର ବାଟି ସୋଡ଼ା: ଖରାଦିନେ ଶୋଷ ମେଂଟାଉଛନ୍ତି ବାଟୋଇ

342

କନକ ବ୍ୟୁରୋ: ପ୍ରବଳ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଦିନ ୧୦ଟା ପରେ ହେଲେ ଘରୁ ବାହାରିବା ଏକ ପ୍ରକାର କଷ୍ଟକର ହୋଇପଡ଼ୁଛି । ଏପରିସ୍ଥିତିରେ ବ୍ରହ୍ମପୁରବାସି ମଧ୍ୟ ଗ୍ରୀଷ୍ମରୁ ତ୍ରାହି ପାଉନାହାନ୍ତି । ଖରାଦିନେ ବ୍ରହ୍ମପୁରରେ ମିଳୁଥିବା ବାଟି ସୋଡାର ଚାହିଦା ବେଶ ଅଧିକା ରହିଥାଏ । ଖରା ଗରମରେ ଏହାକୁ ପିଇ ଆଶ୍ୱସ୍ତି ଅନୁଭବ କରନ୍ତି ବାଟୋଇ ।

ବ୍ରହ୍ମପୁରର ବାଟି ସୋଡ଼ା । ଖରାଦିନେ ଏହାକୁ ପିଇବାକୁ ବ୍ରହ୍ମପୁରର ଲୋକେ ବହୁତ ପସନ୍ଦ କରିଥାଆନ୍ତି । ଲେମ୍ବୁ, ଲୁଣ, ଆମ୍ବଅଦା ଓ ସୋଡ଼ା ମିଶ୍ରିତ ଏହି ପାଣିକୁ ବାଟି ସୋଡ଼ା ବୋଲି କୁହନ୍ତି ସ୍ଥାନୀୟ ଲୋକେ । ଦେଶୀ ଉପାୟରେ ଏହାକୁ ପ୍ରସ୍ତୁତ କରାଯାଉଥିବାରୁ ଏହାର ସ୍ୱାଦ ଅନ୍ୟ ଥଣ୍ଡା ପାନୀୟ ଅପେକ୍ଷା ଅଧିକ ବୋଲି କୁହନ୍ତି ଗ୍ରାହକ । ପିଢି ପରେ ପିଢି ଏହି ବ୍ୟବସାୟକୁ ଆପଣାଇ ବ୍ରହ୍ମପୁରର କିଛି ବ୍ୟବସାୟୀ । ଏହାକୁ ବିକ୍ରି କରି ଖରା ଦିନେ ଭଲ ବ୍ୟବସାୟ କରନ୍ତି ବାଟି ସୋଡ଼ା ଦୋକାନୀ । ପୂର୍ବରୁ ମାତ୍ର ୧୦ ପଇସାରେ ମିଳୁଥିବା ଏହି ବାଟି ସୋଡ଼ା ଏବେ ୫ଟଙ୍କାରେ ମିଳୁଛି ।

ସହରର ବିଭିନ୍ନ ଦୋକାନରେ ଏହି ବାଟି ସୋଡ଼ା ମିଳିଥାଏ । ଚାହିଦା ଅନୁସାରେ ଏହାକୁ ଅଧିକ ସ୍ୱାଦଯୁକ୍ତ କରିଥାଆନ୍ତି ବ୍ୟବସାୟୀ । ଏହାକୁ ପିଇ ପ୍ରବଳ ଖରାରୁ ଆସ୍ୱସ୍ତି ଅନୁଭବ କରନ୍ତି ସ୍ଥାନୀୟ ବାସିନ୍ଦା । ବଜାରକୁ ନୂଆ ନୂଆ ବ୍ରାଣ୍ଡର କୋଲ୍ଡ ଡ୍ରିଙ୍କସ୍ ଆସୁଥିଲେ ବି ଏହି ସୋଡ଼ା ପାଣିର ଚାହିଦା କମିନାହିଁ ।