ପେଗାସସ୍ ତଦନ୍ତ ମାମଲାରେ ଏକାଠି ହେଲେ ବିରୋଧୀ : ଯୁଗ୍ମ ସଂସଦୀୟ କମିଟି ତଦନ୍ତ ପାଇଁ ୧୦ ବିରୋଧୀ ଦଳର ଦାବି; ନିରବ ରହିଲା ବିଜେଡି

163

କନକ ବ୍ୟୁରୋ : ପେଗାସସ୍ ଗୁଇନ୍ଦାଗିରି ମାମଲାରେ ମୋଦି ସରକାରଙ୍କୁ ଘେରିବା ପାଇଁ ଏକାଠି ହୋଇଛନ୍ତି ବିରୋଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ୧୪ଟି ବିରୋଧୀ ଦଳର ନେତା ବସି ସଂସଦରେ ଆଗାମୀ ରଣନୀତି କ’ଣ ହେବ ସେନେଇ ସ୍ଥିର କରିଛନ୍ତି । ମାମଲାର ଯୁଗ୍ମ ସଂସଦୀୟ କମଟି ଦ୍ୱାରା ତଦନ୍ତ କରାଇବା ପାଇଁ ଏମାନେ ଦାବି କରିଛନ୍ତି । ସଂସଦର ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ହଂଗାମା କରି ଏହାକୁ ଅଚଳ କରିଦେଇଥିଲେ । ଲୋକସଭାରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ପେଗାସସ୍ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଦେଇଥିଲା କଂଗ୍ରେସ ।

ରାଜ୍ୟସଭାରେ ମଧ୍ୟ ଚର୍ଚ୍ଚା ପାଇଁ ମୁଲତବୀ ନୋଟିସ୍ ଦେଇଥିଲେ ସାଂସଦ ଶକ୍ତି ସିଂ ଗୋହିଲ । କଂଗ୍ରେସ, ଡିଏମକେ, ଏନସିପି ଓ ବାମଦଳ ସମେତ ୧୪ଟି ରାଜନୈତିକ ଦଳ ବୈଠକରେ ସାମିଲ ହୋଇଥିଲେ । କିନ୍ତୁ ବିରୋଧୀଙ୍କ ଏହି ବୈଠକରେ ବିଜେଡି ସମେତ ୱାଇଏସଆର୍ କଂଗ୍ରେସ ପ୍ରମୁଖ ଭାଗ ନେଇନଥିଲେ । ତେଣୁ ପେଗାସସ୍ ସ୍ପାଏୱେୟାର ଜରିଆରେ ମୋବାଇଲ ଫୋନ ଗୁଇନ୍ଦଗିରି ପ୍ରସଙ୍ଗରେ ଏହି ଦଳ ଗୁଡିକର ଆଭିମୁଖ୍ୟ କ’ଣ ତାହା ସ୍ପଷ୍ଟ ହୋଇନାହିଁ ।