ଚାଷୀଙ୍କ ୩ ଘଣ୍ଟିଆ ଚକା ଜାମ୍ । ଦିଲ୍ଲୀ ସୀମା ସିଲ୍, ୧୦ ମେଟ୍ରୋ ଷ୍ଟେସନ ବନ୍ଦ, ଗାଜିପୁର ଓ ସିଂଘୁ ସୀମାରେ ୫୦ ହଜାର ସୁରକ୍ଷା କର୍ମୀ ମୁତୟନ

72

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂତନ କୃଷିବିଲ୍ କୁ ବିରୋଧ କରି ୨ ମାସରୁ ଅଧିକ ସମୟ ହେବ ଧାରଣାରେ ବସିଥିବା କୃଷକ ମାନଙ୍କ ଡାକରାରେ ଆଜି ସାରା ଦେଶରେ ୩ ଘଣ୍ଟିଆ ଚକା ଜାମ୍ ଆନ୍ଦୋଳନ କରାଯାଉଛି । ଏହି ଚକା ଜାମ୍ ଆନ୍ଦୋଳନ ମଧ୍ୟାହ୍ନ ୧୨ ଟାରୁ ଆରମ୍ଭ ହୋଇଛି ଓ ଏହା ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି । କିଛି ନିଦ୍ଧିଷ୍ଟ କାରଣ ପାଇଁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ଦିଲ୍ଲୀକୁ ବାଦ ଦେଇ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ନେଇ ଭାରତୀୟ କିଷାନ ୟୁନିୟନର ମୁଖ୍ୟ ରାକେଶ ଟିକାୟତ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଜାନୁଆରୀ ୨୬ ତାରିଖରେ ହୋଇଥିବା ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ଦିଲ୍ଲୀରେ ଚକା ଜାମ୍ ଆନ୍ଦୋଳନ ହେଉନଥିବା ବେଳେ ବି କୃଷକ ମାନେ ଆନ୍ଦୋଳନରେ ବସିଥିବା ବିଭିନ୍ନ ସୀମାରେ ୫୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିବା ସୂଚନା ମିଳିଛି । ଏହାସହ ବହୁସ୍ତରୀୟ ବ୍ୟରିକେଡ୍ ବ୍ୟବସ୍ଥା ବି କରାଯାଇଥିବା ଦେଖିବାକୁ ମିଳିଛି ।

କୃଷକ ମାନଙ୍କର ଏହି ଚକାଜାମ୍ ଆନ୍ଦୋଳନକୁ କଂଗ୍ରେସ ପକ୍ଷରୁ ସମର୍ଥନ ଦିଆଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କାଭଦ୍ରା ଗାନ୍ଧୀ ଏନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଏଭଳି କଳା କୃଷିଆଇନକୁ କେନ୍ଦ୍ରସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।
ଓଡିଶାରେ ବି କୃଷକମାନେ କିଛି କିଛି ସ୍ଥାନରେ ଚକାଜାମ୍ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଓଡିଶାର ନବନିର୍ମାଣ କୃଷକ ସଂଗଠନ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇବାରେ ପରେ ଏଠାରେ କିଛି ମାତ୍ରାରେ ପ୍ରତିଫଳନ ଦେଖିବାକୁ ମିଳିଛି ।