ପିସିସି ସଭାପତି ବଦଳିଲେ ହେଲେ ତୁଟିଲାନି କଂଗ୍ରେସ କଳି: ସଂପାଦକ ପଦରୁ ମୋକିମ୍ ଇସ୍ତଫା ଦେବା ପରେ ଦଳ ଛାଡିବା ନେଇ ଚର୍ଚ୍ଚା

199

କନକ ବ୍ୟୁରୋ: କଟକର ନାଳ ପାଣିରେ ପଶି ପ୍ରତିବାଦ କରୁଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ସହର ମଧ୍ୟରେ ଥିବା ପେଟାନାଳର ପୁନଃରୁଦ୍ଧାର ପାଇଁ ଦାବି କରିଛନ୍ତିି । କିନ୍ତୁ ଏତିକିବେଳେ ମୋକିମଙ୍କ ଦଳ ଛାଡିବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରୁଛି । କାରଣ ଏହା ଭିତରେ ସେ ଦଳୀୟ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି କଟକର ଏହି ବିଧାୟକ ।

ପିସିସି ସଭାପତି ପଦ ପାଇଁ ନିରଞ୍ଜନ ପଟ୍ଟନାୟକଙ୍କ ପରେ ମହମ୍ମଦ ମୋକିମଙ୍କ ନାଁ ଚର୍ଚ୍ଚାରେ ଥିଲା ଏବଂ ସେ ଏହି ପଦ ପାଇଁ ଆଶାୟୀ ଥିଲେ । କିନ୍ତୁ ହାଇକମାଣ୍ଡ ଶରତ ପଟ୍ଟନାୟକଙ୍କୁ ସଭାପତି ଚୟନ କରିବା ପରେ ସେ ଅସନ୍ତୁଷ୍ଟ ଥିବା କୁହାଯାଉଛି । ତେବେ ଏହି ଚର୍ଚ୍ଚାକୁ ସିଧାସଳଖ ମନା କରି ନାହାଁନ୍ତି ମୋକିମ୍ । କହିଛନ୍ତି, ସେ ଏବେ ତାଙ୍କ ନିର୍ବାଚନ ମଣ୍ଡଳୀ ପାଇଁ କାମ କରିବାକୁ ଚାହୁଁଛନ୍ତି । ତେଣୁ ଦଳୀୟ ପଦ ଛାଡିଛନ୍ତି ।

ଆଗକୁ ଆସୁଛି ବିଧାନସଭାର ମୌସୁମୀ ଅଧିବେଶନ । ଏହି ଅଧିବେଶରେ କଂଗ୍ରେସର ଆଭିମୁଖ୍ୟ କଣ ରହିବ, ତା ଉପରେ ସମସ୍ତଙ୍କ ନଜର ରହିଛି । କାରଣ କିଛି ଦିନ ପୂର୍ବରୁ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଓ ସଚେତକ ପଦରୁ ବିଧାୟକ ତାରା ପ୍ରସାଦ ବାହିନପତି ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହା ଭିତରେ ଦୁଇ ନେତା ମନ ପରିବର୍ତନ କରିଥିବା ଜଣାପଡିଛି ।

ନୂଆ ପିସିସି ସଭାପତି ହେବା ପରେ ବ୍ରଜରାଜନଗର ନିର୍ବାଚନରେ ପ୍ରଥମ ଥର ପାଇଁ ରାଜ୍ୟ କଂଗ୍ରେସ ଏକାଠି ହେବା ଦେଖାଯାଇଥିଲା । ଆଉ ଦଳ ତୃତୀୟସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଆସିବାରେ ସକ୍ଷମ ହୋଇଥିଲା । କିନ୍ତୁ ଏବେ ପୁଣି ଥରେ ଦଳରେ ସବୁ କିଛି ଠିକ୍ ଚାଲୁନଥିବା ଚର୍ଚ୍ଚା ହେଉଛି ।