କଂଗ୍ରେସରେ ବଢୁଛି ମୋକିମ-ଶରତ ବିବାଦ: ଭଙ୍ଗାଗଲା କଟକ ଜିଲ୍ଲାର ସମସ୍ତ ଦଳୀୟ କମିଟି, ପିସିସି ସଭାପତି କହିଲେ, ସଂଗଠନକୁ କରାଯିବ ସୁଦୃଢ

145

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସରେ ବଢି ଚାଲିଛି ପିସିସି ସଭାପତି ଓ ମହମ୍ମଦ ମୋକିମଙ୍କ ମଧ୍ୟରେ ବିବାଦ । ଏହି ବିବାଦରେ ଦୀର୍ଘଦିନ ଧରି ଚୁପ୍ ଥିବା ପିସିସି ସଭାପତି ଏବେ ନିଜ ନୀରବତା ଭାଙ୍ଗିଛନ୍ତି । ଗତକାଲି କଟକ ନଗର ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଗିରିବାଳା ବେହେରାଙ୍କୁ ହଟାଇ ସୁରେଶ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଦାୟିତ୍ୱ ମିଳିବା ପରେ ଆଜି ସୁରେଶ ମହାପାତ୍ର କଟକ ଜିଲ୍ଲାର ସମସ୍ତ ଦଳୀୟ କିମିଟି ଭାଙ୍ଗିଛନ୍ତି । ଦଳର ଜିଲ୍ଲା କମିଟି, ବ୍ଲକ କମିିଟି ଓ ୱାର୍ଡ କମିଟି ଭାଙ୍ଗିଛନ୍ତି । ତେବେ ଦଳକୁ ଦୁର୍ବଳ ନୁହେଁ ସୁଦୃଢ କରିବା ପାଇଁ ଏହା ଏକ ପଦକ୍ଷେପ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ତେବେ ଗିରିବାଳା ବେହେରାଙ୍କୁ ପଦରୁ ହଟାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପିସିସି ସଭାପତି କହିଛନ୍ତି, କାହାର ପକ୍ଷ ଛେଦନ ହୋଇନାହିଁ କି, ଖରାପ କାର୍ଯ୍ୟ ଯୋଗୁଁ କାହାକୁ ପଦରୁ ହଟାଯାଇନାହିଁ । କଂଗ୍ରେସକୁ ସୁଦୃଢ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏହାର ଅନ୍ୟ କିଛି କାରଣ ନାହିଁ । ପୁରୀ, ଝାରସୁଗୁଡାରେ ମଧ୍ୟ ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରାଯାଇଛି । କଂଗ୍ରେସ ଗୋଟିଏ ଜାତୀୟ ଦଳ ଏଠି ସମସ୍ତ ସମସ୍ତ ନିଷ୍ପତ୍ତି ହାଇକମାଣ୍ଡ ନିଅନ୍ତି । ବ୍ୟକ୍ତିଗତ ଭାବେ ମୋର ମୋକିମଙ୍କ ସହ ଭଲ ସମ୍ପର୍କ ।

ଶରତ ପଟ୍ଟନାୟକ ପିସିସି ସଭାପତି ଭାବେ ଦାୟିତ୍ୱ ନେବା ପରେ ମୋକମ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା । ଶରତ ପଟ୍ଟନାୟକଙ୍କ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମକୁ ମୋକିମ ନଯିବା, ଦଳ ବିରୋଧରେ ଯାଇ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ ଦେବା ଆଦି ଘଟଣା ଏହି ବିବାଦ ଭିତରେ ଆହୁରି ତିକ୍ତତା ବଢାଇ ଥିଲା । ନିକଟରେ କଂଗ୍ରେସର ଅନେକ କର୍ମୀ ଦଳରୁ ଇସ୍ତଫା ଦେବା ପରେ ଏହି ଘଟଣା ଏବେ ଚର୍ଚ୍ଚାକୁ ଆସିଛି । ଇସ୍ତଫା ଦେଇଥିବା କର୍ମୀମାନେ ମହମ୍ମଦ ମୋକିମଙ୍କ ବେଶ ନିକଟତର ଥିଲେ । ତେବେ କଟକରେ ଦଳର ମଙ୍ଗ ଧରିଥିବା ସୁରେଶ ମହାପାତ୍ର ସଂଗଠନକୁ କିପରି ସଜାଡୁଛନ୍ତି ତାକୁ କର୍ମୀମାନେ ଅପେକ୍ଷା କରି ରହିଛନ୍ତି ।