ଗୃହରେ ତାତି, ବାହାରେ ବି ତାତି ! କୃଷି ସମସ୍ୟା ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଲେ ପ୍ରସାଦ

31

କନକ ବ୍ୟୁରୋ : କୃଷି ପ୍ରସଙ୍ଗରେ ବିଧାନସଭାରେ ତାତି ଦେଖିବାକୁ ମିଳିଥିବା ବେଳେ ଗୃହ ବାହାରେ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ । ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଓଡିଶାର ଚାଷୀଙ୍କୁ ଧୋକା ଦେଇଥିବା ସେ ଅଭିଯୋଗ କରିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କୁଇଂଟାଲ ପିଛା ତିନି ହଜାର ଟଙ୍କା କରି ତୁରନ୍ତ ଏହାକୁ ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇଛନ୍ତି । ଏଥି ସହ ଜଳସେଚିତ ଜମିରେ ଇନପୁଟ ସବସିଡି ହେକ୍ଟର ପିଛା ସର୍ବନିମ୍ନ ସାତ ହଜାର ପାଂଚଶହ ଟଙ୍କା ଓ ଅଣ ଜଳସେଚିତ ଜମିରେ ହେକ୍ଟର ପିଛା ସର୍ବନିମ୍ନ ପାଂଚ ହଜାର ଟଙ୍କା ଦେବାକୁ ରାଜ୍ୟ ସରକାରଙ୍କୁ ଦାବି ଜଣାଇଛନ୍ତି ।

କ୍ଷତିଗ୍ରସ୍ତ ଚାଷୀଙ୍କ କୃଷିରଣ ଛାଡ କରିବା ସହ ପାଞ୍ଚଶହ ଟଙ୍କାର ଅତିରିକ୍ତ ସହାୟତା ରାଶି ଓ ମୃତ୍ୟୁବରଣ କରିଥିବା ଚାଷୀଙ୍କୁ କୋଡିଏ ଲକ୍ଷ ଟଙ୍କା ଆର୍ଥିକ ସହାୟତା ସହ ତାଙ୍କ ପରିବାରକୁ ଥଇଥାନ କରାଇବା ପାଇଁ ରାଜ୍ୟସରକାରଙ୍କୁ ଦାବି କରିଛନ୍ତି ପ୍ରସାଦ । ଯଦି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏସମସ୍ତ ଦାବି ନମାନନ୍ତି ତେବେ ଆସନ୍ତା ଡିସେମ୍ବର ଶେଷ ସପ୍ତାହରେ ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ଚାଷୀ ସମାବେଶ କରାଯିବା ସହ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ପ୍ରତିବାଦ କରାଯିବ ବୋଲି ପ୍ରସାଦ ହରିଚନ୍ଦନ କହିଛନ୍ତି ।