ଭିମସାରର ଡାକ୍ତରଙ୍କ ସପକ୍ଷରେ ବାହାରିଲା ସମ୍ବଲପୁର ନେଟୱାର୍କ ଅଫ୍ ପଜିଟିଭି ପିପୁଲ୍ ସଂଗଠନ : ଏଡ୍ସ ସଂକ୍ରମିତ ଉପକରଣରେ ଅନ୍ୟ ରୋଗୀଙ୍କ ଚିକିତ୍ସା ନେଇ ପ୍ରଶାନ୍ତ ସ୍ୱାଇଁଙ୍କ ବିରୋଧରେ ହୋଇଛି ଅଭିଯୋଗ

311

କନକ ବ୍ୟୁରୋ : ବୁର୍ଲା ଭିମସାରରେ ଏଚ୍ଆଇଭି ରୋଗୀଙ୍କ ଚିକିତ୍ସା କରିଥିବା ଡାକ୍ତର ପ୍ରଶାନ୍ତ ସ୍ୱାଇଁଙ୍କ ସପକ୍ଷରେ ବାହାରିଛି ସମ୍ବଲପୁର ନେଟୱାର୍କ ଅଫ୍ ପୋଜିଟିଭି ପିପୁଲ୍ । ଡାକ୍ତର ସ୍ୱାଇଁଙ୍କ ବିରୋଧରେ ହୋଇଥିବା ତଦନ୍ତ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହାସହ ଭିମସାରର ବିଭିନ୍ନ ଡାକ୍ତରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛି ସମ୍ବଲପୁର ନେଟୱାର୍କ ଅଫ୍ ପୋଜିଟିଭି ପିପୁଲ୍ । ସମାଜର ବାସନ୍ଦ ଭୟରେ ନିରବ ରହୁିଥିବା ଏଡ୍ସ ରୋଗୀମାନେ ମୁହଁ ଖୋଲିଛନ୍ତି ।

ଭିମସାର ଏଚଆଇଭି ରୋଗୀ ଚିକିତ୍ସା ଘଟଣାର ତଦନ୍ତ ରିପୋର୍ଟ ଆସିବା ପୂର୍ବରୁ ତଦନ୍ତ ବନ୍ଦ କରିବା ପାଇଁ ଦାବି କରିଛି ଏଚଆଇଭି ଉପରେ କାମ କରୁଥିବା ସଂଗଠନ ସମ୍ବଲପୁର ନେଟୱର୍କ ଅଫ ପୋଜିଟିଭି ପିପୁଲ୍ । ସୁପ୍ରିକକୋର୍ଟଙ୍କ ଗାଇଡଲାଇନ ଅନୁସାରେ କୌଣିସ ଏଚ୍ଆଇଭି ସଂକ୍ରମିତ ରୋଗୀଙ୍କୁ କୌଣିସ ଡାକ୍ତର ଚିକିତ୍ସା କରିବାକୁ ମନା କରିପାରିବେ ନାହିଁ । ହେଲେ ଭିମସାରରେ ଡାକ୍ତରମାନେ ଖୋଲାଖୋଲି ଏହି ନିୟମର ଉଲ୍ଲଂଘନ କରୁଥିବା ଏହି ସଂଗଠନ ଅଭିଯୋଗ ଆଣିଛି ।

ସେପଟେ ଏଚଆଇଭି ରୋଗୀଙ୍କ ଚିକିତ୍ସା କରି ମଣିଷପଣିଆ ଦେଖାଇଥିବା ଡାକ୍ତର ପ୍ରଶାନ୍ତ ସ୍ୱାଇଁଙ୍କୁ ଜାଣିଶୁଣି ଫସାଇବା ସହ ତଦନ୍ତ କମିଟି ବସାଯାଇଥିବା ଏହି ସଂଗଠନ ଅଭିଯୋଗ ଆଣିଛି । ଏମିତି ହେଲେ ଆଗାମୀ ଦିନରେ ଆଉ କେହି ଏଚଆଇଭି ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରିବାକୁ ରାଜି ହେବେ ନାହିଁ ବୋଲି ଆଶଙ୍କା କରିଛି ଏହି ସଂଗଠନ । ସମ୍ବଲପୁର ଓ ବରଗଡ ଜିଲ୍ଲାରେ ପ୍ରାୟ ୧୭୦୦ ଏଚଆଇଭି ସଂକ୍ରମିତଙ୍କୁ କାଉନସେଲିଂ କରାଯାଉଛି ।

ତେବେ ଏମାନଙ୍କୁ ବିଭିନ୍ନ ଚିକିତ୍ସା ପାଇଁ ନେଲେ ଚିକିତ୍ସା ନକରି ବୁର୍ଲାରୁ କଟକ ବଡ ମେଡିକାଲ ପଠାଇ ନାନା ହଇରାଣ କରୁଥିବା କହିଛନ୍ତି ରୋଗୀମାନେ । ସେପେଟେ ଏହି ସଂଗଠନର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୁର୍ଲା ଭିମସାର ସୁପରିଟେଣ୍ଡଣଟ ।