ଭଂଜନଗରରେ କାଳ ହେଲା କରୋନା ଗୁଜବ । ରୋଗୀଙ୍କୁ ନେବାକୁ ମନା କଲା ଅଟୋ, ପଛଘୁଂଚା ଦେଲା ଆମ୍ବୁଲାନ୍ସ ଡ୍ରାଇଭର, ଡାକ୍ତରଖାନାରେ ପହଞ୍ଚୁ ପହଞ୍ଚୁ ଚାଲିଗଲା ଜୀବନ ।

999

କନକ ବ୍ୟୁରୋ : କରୋନା ସନ୍ଦେହରେ ଡ଼ାକ୍ତର ଛୁଇଁଲେନି । ଥଣ୍ଡା ଜ୍ୱର ଓ ଚିନ୍ତାରେ ଚାଲିଗଲା ଜୀବନ । ଜ୍ୱର ନାଁ ଶୁଣିଲେ ଗାଡ଼ିକୁ ଡ଼ାକିଲେ ଗାଡ଼ି ଆସୁନି । ଏପରିକି ଆମ୍ବୁଲାନ୍ସ ବି ଆସୁନି । ଆଉ ସେପଟେ କରୋନା କାଳରେ ଗାଡ଼ି ଥାଇ ଭଡ଼ା ନପାଇ ଦୁର୍ଦ୍ଦିନରେ ସଢ଼ୁଛନ୍ତି ଅଟୋ ଚାଳକ ।

ଡାକ୍ତରଖାନା ନେବାକୁ ରାଜି ହେଲାନି ଆମ୍ବୁଲାନ୍ସ । ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ଜୀବନ । କରୋନା ନାଁରେ ଗୁଜବ ନେଇଗଲା ଜୀବନ । ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକରୁ ଆସିଛି ଏପରି ଏକ ଦୁଃଖଦ ଚିତ୍ର । ପଥରାପଲ୍ଲୀ ଗ୍ରାମର ପ୍ରମୋଦ ନାୟକ କିଛି ଦିନ ତଳେ ଜ୍ୱରରେ ପଡ଼ିଥିଲେ । ଭଂଜନଗର କୋଭିଡ୍ ଓପିଡ଼ିରେ ୧୬ ତାରିଖରେ ଡାକ୍ତର ଦେଖିବା ପରେ କେବଳ ଔଷଧ ଦେଇ ଛାଡିଦେଲେ । ଅନୁରୋଧ ପରେ ବି କଲେ ନାହିଁ କୋଭିଡ୍ ପରୀକ୍ଷା । ଘରକୁ ଆସିବାର ୪ ଦିନ ପରେ ଛାତିରେ ବଢିଗଲା ଯନ୍ତ୍ରଣା । ଆମ୍ବୁଲାନ୍ସକୁ ଯୋଗାଯୋଗ କରାଗଲା, କିନ୍ତୁ ଗୁଜବ ଶୁଣି ରୋଗୀଙ୍କୁ ଡାକ୍ତରଖାନା ନେବାକୁ ମନା କରିଦେଲା । ବହୁ ଯୁକ୍ତିତର୍କ ପରେ ପ୍ରମୋଦଙ୍କୁ ଡାକ୍ତରଖାନା ନିଆଯିବା ବେଳେ ଚାଲିଗଲା ତାଙ୍କର ଜୀବନ ।

ଭଂଜନଗରରେ ଗାଁ ଗହଳିରେ କରୋନା ଗୁଜବ ଏପରି ଖେଳିଯାଇଛି ଯେ, ସାଧାରଣ ଜ୍ୱର ଓ ଖାସ ହେଲେ ବି ରୋଗୀଙ୍କୁ ଡାକ୍ତରଖାନା ନେବାକୁ ରାଜି ହେଉନାହାନ୍ତି ଅଟୋ ଚାଳକ । ସେପଟେ ଭଂଜନଗର ଅଂଚଳକୁ କଟେଂନମେଟଂ ଜୋନ୍ ଭାବେ ଘୋଷଣା କରିଛି ପ୍ରଶାସନ । ଦୀର୍ଘ ମାସେ ହେବ ଦୋକାନ ବଜାର ସବୁ ବନ୍ଦ । ମେଡ଼ିକାଲ କେସରେ ରୋଗୀଙ୍କୁ ନନେବାକୁ ଫତୁଆ ଜାରି କରିଛି ସଂଘ । ଏହାରି ଭିତରେ ବେପାର ନଥିବାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଅଟୋଚାଳକ । ଗଂଜାମ ଜିଲ୍ଲା ପ୍ରଶାସନ ଗାଁ ଗାଁରେ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ଜୋରଦାର କରିଛି । ହେଲେ ଏହାରି ଭିତରେ ଗାଁ ଗହଳିରେ କରୋନାକୁ ନେଇ ଗୁଜବ ଅତି ଜଟିଳ ସ୍ଥିତି ସୃଷ୍ଟି କରିଛି ।