ଚିନ୍ତା ବଢାଇଲା କରୋନା: ରାଜ୍ୟରେ ଚିହ୍ନଟ ନୂଆ ୫ ପଜିଟିଭ ପୁରୁଣା ଆକ୍ରାନ୍ତଙ୍କ ସଂପର୍କୀୟ; ୧୨ରୁ ୩୮ ବର୍ଷ ମଧ୍ୟରେ ରହିଛି ସମସ୍ତ ଆକ୍ରାନ୍ତଙ୍କ ବୟସ

1,678

କନକ ବ୍ୟୁରୋ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଚିନ୍ତା ମଧ୍ୟ ଅନୁରୂପ ଭାବରେ ବଢିଚାଲିଛି । ଦିନକୁ ଦିନ କରୋନାକୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ତେବେ ଏସବୁ ଭିତରେ ଚିନ୍ତାଜନକ ରହିଛି ଆକ୍ରାନ୍ତଙ୍କ ବୟସ ଏବଂ ସଂକ୍ରମିତଙ୍କଠାରେ କରୋନା ଲକ୍ଷଣ ଦେଖାନଯିବା ।  ଅର୍ଥାତ୍ ରାଜ୍ୟରେ ଠାବ ହୋଇଥିବା ଅଧିକାଂଶ କରୋନା ଆକ୍ରାନ୍ତଙ୍କଠାରେ କରୋନା ଭୁତାଣୁର କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ । ସେହିପରି ରାଜ୍ୟରେ ପୂର୍ବରୁ ଜଣେ ୫ ବର୍ଷ ଏବଂ ଆଉ ଜଣେ ୯ ବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଆଜି ଆସିଥିବା କରୋନା ଆକ୍ରାନ୍ତଙ୍କ ବୟୟ ୧୨ରୁ ୩୮ ବର୍ଷ ମଧ୍ୟରେ ରହିଛି । ଏଭଳି ସ୍ଥିତିରେ ରାଜ୍ୟରେ କରୋନାକୁ  ନେଇ ଚିନ୍ତା ବଢିଛିି ।

ଆଜି ଚିହ୍ନଟ ହୋଇଥିବା ୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ନାବାଳକ, ୨ ଜଣ ମହିଳା  ଓ ୨ ଜଣ ପୁରୁଷ ରହିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚିହ୍ନଟ ହୋଇଥିବା ଏହି ସମସ୍ତ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ତଥା ୬୧ ନମ୍ବର କରୋନା ଆକ୍ରାନ୍ତଙ୍କ ନିକଟ ସଂପର୍କୀୟ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଦୁଇ ମହିଳାଙ୍କ ବୟସ ୩୪ ହୋଇଥିବା ରହିଥିବା ବେଳେ ପୁରୁଷ ଆକ୍ରାନ୍ତଙ୍କ ବୟସ ରହିଛି ୩୮ ଓ ୨୬ବର୍ଷ ।  ଏମାନଙ୍କ ମଧ୍ୟରୁ ଜଣେ ୧୨ ବର୍ଷର ନାବାଳକଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି ।

ସେହିପରି ବାଲେଶ୍ୱରରୁ ଗତକାଲି ଚିହ୍ନଟ ହୋଇଥିବା ୨ ଜଣଙ୍କ ମଧ୍ୟରୁ ଜଣେ ଦୁଇ ବର୍ଷର ଶିଶୁକନ୍ୟା ରହିଥିବା ବେଳେ ଜଣେ ୩୨ ବର୍ଷୀୟ ଯୁବକଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି । ତେବେ ଗତ ୪୮ ଘଂଟାରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୩ଟି ସକ୍ରିୟ ମାମଲା ରହିଛି । ବିଭିନ୍ନ ଡାକ୍ତରଖାନାରେ ୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆକ୍ରାନ୍ତଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି ।