ରୋଗୀ ମୃତ୍ୟୁକୁ ନେଇ ନୟାଗଡ ଶରଣକୂଳ ମେଡିକାଲରେ ଉତ୍ତେଜନା ! ନିଶାରେ ଚୁର ମେଡିକାଲ ଇନଚାର୍ଜଙ୍କୁ ମାଡ଼

44

କନକ ବ୍ୟୁରୋ: ପୁଣି ପଦାରେ ପଡିଛି ସରକାରୀ ସ୍ୱାସ୍ଥ୍ୟସେବାର ଗୁମର କଥା । ଚିକିତ୍ସା ପାଇଁ ଡାକ୍ତର ନାହାଁନ୍ତି, ଆଉ ଯିଏ ଅଛନ୍ତି ସିଏ ବି ଠିକରେ କାମ କରୁନାହାନ୍ତି । ଚିକିତ୍ସା ଅବହେଳା ଓ ରୋଗୀମୃତ୍ୟୁକୁ କେନ୍ଦ୍ରକରି ନୟାଗଡ଼ ଶରଣକୂଳରେ ଉତ୍ତେଜନା ଦେଖାଦେଇଛି । ଖବର ଅନୁସାରେ, ସ୍ଥାନୀୟ ଶିଖରପୁର ଗାଁର ବଂଶୀଧର ଗାଆଣ ଗୁରୁତର ଅବସ୍ଥାରେ ଶରଣକୂଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ହେଲେ ଜରୁରୀକାଳୀନ ଡ୍ୟୁଟିରେ ଥିବା ଡାକ୍ତର ବାଲାଜି ରାୟ ଫିସ୍ ନେଇ ଏକ ମେଡିସିନ ଦୋକାନରେ ବଂଶୀଧରଙ୍କୁ ଚିକିତ୍ସା କରିଥିବା ଅଭିଯୋଗ ହୋଇଛି ।

ତେବେ କିଛି ସମୟ ପରେ ବଂଶୀଧରଙ୍କ ଅବସ୍ଥା ଗୁରୁତର ହେବାବେଳକୁ ଡାକ୍ତର ଉପସ୍ଥିତ ନଥିଲେ । ଫଳରେ ବଂଶୀଧରଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ତାତିଥିଲେ ପରିବାର ଓ ଗାଁ ଲୋକେ । ମେଡିକାଲର ଦୁଇ ଡାକ୍ତରଙ୍କୁ ଲୋକେ ମାଡ଼ ମାରିଥିବା ବି ଅଭିଯୋଗ ହୋଇଛି । ଏସବୁ ପରେ ବି ନିଶାରେ ଚୁର ଥିବା ମେଡିକାଲ ଇନଚାର୍ଜ ନିଶିଥ ମହାନ୍ତି କିଛି ଜାଣିନଥିବା କହିଛନ୍ତି ।

ସେପଟେ ଅବହେଳା କଥାକୁ ସ୍ୱୀକାର କରିଛନ୍ତି ଚିକିତ୍ସା କରିଥିବା ଡାକ୍ତର । କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ । ବରିଷ୍ଠ ଅଧିକାରୀଙ୍କ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା । ତେବେ ମଦୁଆ ଆଉ ଠକ ଡାକ୍ତରଙ୍କ ଯୋଗୁଁ କିଭଳି ରାଜ୍ୟରେ ସ୍ୱାସ୍ଥ୍ୟସେବା ଚାଲିଛି ତାହା ପଦାରେ ପଡିଛି ।