ଏସସିବି ସର୍ଜରୀ ବିଭାଗରେ ଛାତରୁ ଫ୍ୟାନ ଖସିବା ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ମହିଳାଙ୍କ ମୃତ୍ୟୁ

86

କନକ ବ୍ୟୁରୋ : କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଫ୍ୟାନ ପଡ଼ି ଗୁରୁତର ଆହତ ହୋଇଥିବା ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ଯାଜପୁର ଜିଲ୍ଲା କୃଷ୍ଣନଗର ଗ୍ରାମର ପାର୍ବତୀ ଦାଶ ବୋଲି ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ପାର୍ବତୀ ଦାଶ ଘରେ ପୂଜା କରୁଥିବା ସମୟରେ ଦୀପରୁ ନିଆଁ ଲାଗି ଅଗ୍ନିକାଣ୍ତ ଘଟିଥିଲା। ଏଥିରେ ପାର୍ବତୀ ଆହତ ହୋଇଥିଲେ । ମାର୍ଚ୍ଚ ୫ ତାରିଖରେ ତାଙ୍କୁ ଏସ୍‌ସିବି ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେ ସର୍ଜରୀ ବର୍ଣ୍ଣ ୱାର୍ଡ଼ରେ ଚିକିତ୍ସିତ ହେଉଥିଲେ ।

କିନ୍ତୁ ମାର୍ଚ୍ଚ ୮ ତାରିଖରେ ଚିକିତ୍ସାଧୀନ ପାର୍ବତୀଙ୍କ ଉପରେ ଏକ ଫ୍ୟାନ ଖସି ପଡ଼ିଥିଲା । ଏଥିରେ ସେ ଗୁରୁତର ହୋଇଥିଲେ । ମେଡିକାଲ ପକ୍ଷରୁ ତାଙ୍କୁ ଏସ‌ସିବି ଟ୍ରମା ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପୁଅ ପ୍ରଶାନ୍ତ ଦାଶ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଏହି ଘଟଣାରେ ଜାତୀୟ ମାନବଧିକାର କମିସନ କ୍ଷୋଭ ପ୍ରକାଶ କରିବା ସହିତ ଘଟଣା ସମ୍ପର୍କରେ ୮ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନି‌ର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।