ଭାରତୀୟ ରେଳର ଅଜବ ଶୋଷଣ, ୨୦ ଟଙ୍କାର ଚା କପ ଉପରେ ଆଦାୟ ହେଉଛି ୫୦ ଟଙ୍କାର ସର୍ଭିସ ଚାର୍ଜ

213

କନକ ବ୍ୟୁରୋ : ସାରା ବିଶ୍ୱରେ ଭାରତର ରେଳ ବିଭାଗ ହେଉଛି ସର୍ବ ବୃହତ ରେଳ ବିଭାଗ । ସ୍ୱାଧୀନତା ପରଠାରୁ ଭାରତୀୟ ରେଳ ବିଭାଗ କେବେ କ୍ଷତିରେ ଚାଲିଛି ତାହା କେହି କେବେ ଶୁଣି ନଥିବେ  । ହେଲେ ଲାଭର ଚାଲୁଥିବା ଏକ ସରକାରୀ ସଂସ୍ଥା ସେହି ଦେଶର ଲୋକଙ୍କୁ ରେଳଯାତ୍ରା ବେଳେ ଯଦି ଶୋଷଣ କରେ ତେବେ ସାଧାରଣ ନାଗରିକଟିଏ କଣ ବା କରିପାରିବ ।

ଆପଣ କେବେ ଶୁଣିଛନ୍ତି କି କୌଣସି ଜିନିଷର କିଣା ଦାମ ଠାରୁ ଟ୍ୟାକ୍ସ ଅଧିକ ଦେବାକୁ ପଡେ ବୋଲି । ହଁ ଅଜ୍ଞା ଏବେ ସବୁ ଏଭଳି ବିଚିତ୍ର ଚିତ୍ର ସାମ୍ନାକୁ ଆସୁଛି । ଏବେ ରେଳରେ ଯାତ୍ରା କରିବା ବେଳେ ଯଦି ଆପଣ ରେଳ ଭେଣ୍ଡରଙ୍କ ଠାରୁ ଚା ପିଇବେ ତେବେ ଆପଣଙ୍କୁ ଚା ବାବଦରେ ୨୦ ଟଙ୍କା ଓ ସେବାକର ବାବଦରେ ୫୦ ଟଙ୍କା ଏଭଳି ଗୋଟିଏ କପ ସାଧାରଣ ଚା ପାଇଁ ଆପଣଙ୍କୁ ସର୍ବମୋଟ ୭୦ ଟଙ୍କା ଦେବାକୁ ପଡିବ ଓ ଏବେ ପଡୁଛି ମଧ୍ୟ ।

ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଭୋପାଳ ଯାଉଥିବା ଜନଶତାବ୍ଦୀ ଏକ୍ସପ୍ରେସରେ । ଏହି ଟ୍ରେନରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ରେଳ ଭେଣ୍ଡରଙ୍କ ଠାରୁ ଏକ କପ ଚା ପିଇଥିଲେ । ଏହାପରେ ରେଳ ଭେଣ୍ଡର ଯେଉଁ ମନି ରିସିପ୍ଟ ଦେଇଥିଲେ ତାହାକୁ ଦେଖି ଯାତ୍ରୀ ଜଣଙ୍କ ହତବାକ ହୋଇଯାଇଥିଲେ । ଏଥିରେ ଚା କପ ବାବଦକୁ ୨୦ ଟଙ୍କା ଓ ସର୍ଭିସ ଚାର୍ଜ ବାବଦକୁ ୫୦ ଟଙ୍କା ମୋଟ ୭୦ ଟଙ୍କା ଲେଖାଯାଇଥିଲା । ଏନେଇ ଯାତ୍ରୀ ଜଣଙ୍କ ଏହି ରିସିପ୍ଟକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭାରତୀୟ ରେଳ ବିଭାଗ ଏବେ ଟ୍ରୋଲ ହେଉଛି ।

ଏଭଳି ଖବର ରେଳ ବିଭାଗ କାନରେ ପହଂଚିବା ପରେ ଏବେ ରେଳ ବିଭାଗ ସଫେଇ ଦେଇଛି । ବିଭାଗ ପକ୍ଷରୁ କୁହାଯାଇଛି କି ଯଦି କୌଣସି ଯାତ୍ରୀ ଶତାବ୍ଦୀ କିମ୍ବା ରାଜଧାନୀ ଏକ୍ସପ୍ରେସର ରିଜରଭେସନ ବଗିରେ ଯାତ୍ରା କରୁଛି ଓ ଯାତ୍ରା କରିବା ପୂର୍ବରୁ ଖାଦ୍ୟ ପାନୀୟ ବାବଦରେ ବୁକ କରିନାହିଁ ତେବେ ସେ ରେଳରେ ଯାତ୍ରା କରୁଥିବା ବେଳେ ଯାହା ବୁକ କରିବେ ତା ବାବଦରେ ଯାତ୍ରୀଙ୍କୁ ୫୦ ଟଙ୍କା ସର୍ଭିସ ଟ୍ୟାକ୍ସ ଦେବାକୁ ପଡିବ ।