ଟ୍ରେନରୁ ଚୋରି ହେଲେ ଯାତ୍ରୀଙ୍କୁ ହେବାକୁ ପଡିବନି ହଟହଟା । ଚଳନ୍ତା ଟ୍ରେନରୁ ଏତଲା ଦେଇପାରିବେ ଯାତ୍ରୀ

277

କନକ ବ୍ୟୁରୋ : ଚଳନ୍ତା ଟ୍ରେନରୁ ବି ଏତଲା ଦେଇ ପାରିବେ ଯାତ୍ରୀ । ଟ୍ରେନରେ ଯାଉଥିବା ବେଳେ ଚୋରି କି ଛିନତାଇ ହେଲେ ଅଭିଯୋଗ କରିବା ପାଇଁ ଟ୍ରେନରୁ ଓହ୍ଲାଇବା ଯାଏଁ ଅପେକ୍ଷା କରିବାକୁ ପଡିବ ନାହିଁ । ଟ୍ରେନରୁ ଓହ୍ଲାଇ ନିକଟସ୍ଥ ରେଳବାଇ ଥାନାକୁ ଯାଇ ଏତଲା ଦେବାକୁ ପଡିବ ନାହିଁ । ସିଟରେ ହିଁ ବସି ଟିଟିଇଙ୍କ ସହ ଯୋଗାଯୋଗ କରି ଏଫଆଇଆର ଫର୍ମରେ ତୁରନ୍ତ ଅଭିଯୋଗ କରିପାରିବେ ଯାତ୍ରୀ ।

ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏମିତି କିଛି ନିଷ୍ପତି ନେଇଛି ପୂର୍ବତଟ ରେଳବାଇ । ଯାତ୍ରୀ ଟିଟିଇଙ୍କ ପାଖରେ ଅଭିଯୋଗ ପତ୍ର ଦାଖଲ କରିବା ପରେ ସଂପୃକ୍ତ ଟିଟିଇ ଏଫଆଇଆର କପିକୁ ନେଇ ଜିଆରପି ଥାନା ଅଧିକାରୀଙ୍କ ପାଖରେ ଦାଖଲ କରିବେ । ଆଉ ଏଫଆଇଆର ଆଧାରରେ ଯାଞ୍ଚ ଆରମ୍ଭ କରିବେ ଜିଆରପି ଥାନା ଅଧିକାରୀ । ରେଳବାଇର ଏହି ନିଷ୍ପତିକୁ ଯାତ୍ରୀମାନେ ସ୍ୱାଗତ କରିଛନ୍ତି ।