ଜୁଲାଇ ୧୬ ଯାଏଁ ବଢିଲା ଆଂଶିକ ଲକଡ଼ାଉନ୍ । ୨୦ ଜିଲ୍ଲାରେ କଟକଣା କୋହଳ, ଖୋଲିବ ସବୁ ଦୋକାନ, ହଟିଲା ସପ୍ତାହାନ୍ତ ସଟଡ଼ାଉନ, ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ଯାଏଁ ଦୋକାନ ଖୋଲା ।

488

କନକ ବ୍ୟୁରୋ : ଆସନ୍ତାକାଲି ଆଂଶିକ ଲକଡାଉନ ଅବଧି ଶେଷ ହେଉଥିବାରୁ କଣ ହେବ ? କଟକଣା କୋହଳ ହେବ ନା ପୂର୍ବଭଳି ବଳବତର ରହିବ । ଏହାକୁ ନେଇ ରାଜ୍ୟବାସୀ ଚାହିଁ ରହିଥିବାବେଳେ ଆଂଶିକ ଲକଡାଉନ କଟକଣାକୁ ଜୁଲାଇ ୧୬ ପର୍ଯ୍ୟନ୍ତ ବଢ଼ାଇଛନ୍ତି ସରକାର । କିନ୍ତୁ ସରକାରଙ୍କ ପକ୍ଷରୁ ଅଣାଯାଇଥିବା ନୂଆ ମାର୍ଗଦର୍ଶିକାରେ ଯେଉଁ କଟକଣା ଲଗାଇବାକୁ ନିଷ୍ପତି ନିଆଯାଇଛି, ତାହା ଆମକୁ ଏକ ଶିକ୍ଷା ଦେଇଛି ।

ଜୁନ୍ ୧୭ ପରେ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାର କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ ସେସବୁ ଜିଲ୍ଲାରେ କଟକଣାକୁ ମାନୁଥିବାରୁ ସଂକ୍ରମଣ କମ୍ ରହିଛି । ଫଳରେ ସେଠାରେ କଟକଣାକୁ ଆହୁରି କୋହଳ କରାଯାଇଛି । କିନ୍ତୁ ଉପକୂଳ ଓ ଉତ୍ତର ଓଡିଶାର ଜିଲ୍ଲାରେ କଟକଣାକୁ ନମାନିବା ମହଙ୍ଗା ସାବ୍ୟସ୍ତ ହୋଇଛି । ସଂକ୍ରମଣ ୫ ପ୍ରତିଶତ ଉପରେ ରହିବାକୁ ପୁଣି ଥରେ କଟକଣାକୁ କଡାକଡି କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ବଢ଼ିଲା ଆଂଶିକ ଲକଡାଉନ କଟକଣା । ୧୬ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ । ସଂକ୍ରମଣ ହାର ଅନୁସାରେ ସାରା ଓଡିଶାକୁ ଦୁଇ ଭାଗରେ ବାଂଟି ଜୀବନ ଓ ଜୀବିକା ଭିତରେ ସନ୍ତୁଳନ ରକ୍ଷା କଲା ଭଳି ମାର୍ଗଦର୍ଶିକା ଆଣିଛନ୍ତି ରାଜ୍ୟ ସରକାର ।

ସଂକ୍ରମଣ ହାର କମ୍ ଥିବା ପଶ୍ଚିମ ଓ ଦକ୍ଷିଣ ଓଡିଶାର ୧୭ ଜିଲ୍ଲା ସମେତ ଢ଼େଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାକୁ କାଟାଗୋରୀ ‘ଏ’ରେ ରଖାଯାଇଛି ।

କାଟାଗୋରୀ ‘ଏ’ ରେ ଥିବା ଜିଲ୍ଲାଗୁଡିକ ହେଉଛି, ଢ଼େଙ୍କାନାଳ, ବଲାଙ୍ଗୀର, ଦେବଗଡ, ନୂଆପଡା, କଳାହାଣ୍ଡି, ବରଗଡ, କନ୍ଧମାଳ, ସମ୍ବଲପୁର, ଗଜପତି, ବୌଦ୍ଧ, ରାୟଗଡା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଗଂଜାମ, ସୁବର୍ଣ୍ଣପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ଅନୁଗୁଳ ।

କାଟାଗୋରୀ ‘ଏ’ରେ ଥିବା ଜିଲ୍ଲା ଗୁଡିକରେ
– ସପ୍ତାହକ ସାତ ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲିବ
– କଟକଣାରେ ବସ୍ ଚଳାଚଳ କରିବ, ଯେତିକି ସିଟ୍ ସେତିକି ଲୋକ ବସିବେ
– ଅଟୋ ଓ କାରରେ ଡ୍ରାଇଭରଙ୍କ ସହ ୨ ଯାତ୍ରୀ ଯାଇ ପାରିବେ
– ଫିଲ୍ମ ଓ ସିରିଏଲ ପାଇଁ ଉଭୟ ଆଉଟଡୋର ଓ ଇନଡୋର ସୁଟିଂ ଅନୁମତି
– ସାପ୍ତାହିକ ହାଟ ଖୋଲିବ, ଦୋକାନୀମାନେ ପରସ୍ପର ଠାରୁ ଦୂରତା ରଖି ବସିବେ
– ଛୋଟ ସେଲୁନ ଖୋଲିବ, ମଲ-ସ୍ପା-ବିୟୁଟି ପାଲର ବନ୍ଦ ରହିବ

ସେହିପରି ଉପକୂଳ ଓ ଉତ୍ତର ଓଡିଶାର ୧୦ ଜିଲ୍ଲାକୁ କାଟାଗୋରୀ ‘ବି’ରେ ରଖିଛନ୍ତି ରାଜ୍ୟ ସରକାର । ଏହି ତାଲିକାରେ ଖୋର୍ଦ୍ଧା, ନୟାଗଡ, ପୁରୀ, କଟକ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଜିଲ୍ଲା ରହିଛି ।

ଏହି ୧୦ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହୁଛି । ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାରେ କାଟାଗୋରୀ ଏରେ ଥିବା ଜିଲ୍ଲାମାନଙ୍କ ଅପେକ୍ଷା କଟକଣାକୁ ଅଧିକ କଡାକଡି କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

କାଟାଗୋରୀ ‘ବି’ରେ ଥିବା ଜିଲ୍ଲା ଗୁଡିକରେ…
– ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ଟାରୁ ଦିନ ୨ଟା ଯାଏଁ ଦୋକାନ ବଜାର ଖୋଲିବ
– ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ରହିବ
– ମଲ, ସ୍ପା ଓ ବିୟୁଟି ପାଲରକୁ ଛାଡି ବାକି ସବୁ ଦୋକାନ ଖୋଲିବ
– ଫିଲ୍ମ ଓ ସିରିଏଲର ଆଉଟ ଡୋର ସୁଟିଂ ପାଇଁ ଅନୁମତି, ଇନଡୋର ସୁଟିଂ ବନ୍ଦ
– ବସ୍ ଚଳାଚଳ କରିବ ନାହିଁ

ଏବେ ବି କରୋନା ଭୟ ଯାଇ ନଥିବାରୁ ସାରାରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି ରହିବ । ସନ୍ଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ଲାଗୁ ହେବ କଟକଣା । ସେହିପରି ବିବାହ ଓ ଅନ୍ତିମ ସଂସ୍କାର ପାଇଁ ଥିବା ପୂର୍ବ କଟକଣା ଜାରି ରହିବ । ଏଥିସହ ସାରା ରାଜ୍ୟରେ କୌଣସି ବି ସମାବେଶକୁ ଅନୁମତି ଦିଆଯାଇନାହିଁ ।