କରୋନାର ନୂଆ ଭାରିଆଣ୍ଟକୁ ନେଇ ଲୋକସଭାରେ ମତ ରଖିଲେ ସରକାର । ବିପଦପୂର୍ଣ୍ଣ ଦେଶଭାବେ ୧୧ ଟି ଦେଶକୁ ଚିହ୍ନଟ, ବିମାନ ବନ୍ଦରରେ କୋଭିଡ ଟେଷ୍ଟ ବାଧ୍ୟତାମୂଳକ

166

କନକ ବ୍ୟୁରୋ : ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଏହାକୁ ନେଇ ଭାରତ ସରକାର ବି ଅନେକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ତାହା ମଧ୍ୟରୁ ବିପଦ ଥିବା ଦେଶରୁ ଆସୁଥିବା ଲୋକମାନଙ୍କର କଡା କଡି ଯାଂଚ କରିବା ଉପରେ ସରକାର ପ୍ରାଧାନ୍ୟ ଦେଇଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିନ୍ଧିଆ ଏନେଇ ଲୋକସଭାରେ କହିଛନ୍ତି କି ସରକାର ୧୧ ଟି ଦେଶକୁ ବିପଦପୂର୍ଣ୍ଣ ଦେଶଭାବେ ଚିହ୍ନଟ କରିଛନ୍ତି ।

ସେ କହିଛନ୍ତି କି ବିପଦ ଥିବା ଦେଶଭାବେ ଚିହ୍ନଟ କରାଯାଇଥିବା ଦେଶ ମଧ୍ୟରେ ୟୁନାଇଟେଡ କିଙ୍ଗଡମ, ଦକ୍ଷୀଣ ଆଫ୍ରିକା,ବୋସ୍ତବନା,ବ୍ରାଜିଲ,ଚୀନ, ମୋରିସସ୍, ନ୍ୟୁଜିଲାଣ୍ଡ, ଜିମ୍ବାୱେ, ସିଂଗାପୁର, ହଙ୍ଗକଙ୍ଗ ଓ ଇସ୍ରାଇଲ ରହିଛି । କହିରଖୁ କି ବିଶ୍ୱକୁ ଓମିକ୍ରନ ଭାରିଆଣ୍ଟର ଚିନ୍ତା ଘାରିଥିବା ବେଳେ ଦେଶରେ ବି କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିଆ ବି ରାଜ୍ୟ ସରକାରଙ୍କ ସହ ଏୟାରପୋର୍ଟ ସ୍କ୍ରିନିଂକୁ ନେଇ ଗୁରୁବାର ସକାଳେ ବୈଠକ କରିଛନ୍ତି । ଏହି ବୈଠକରେ ବିମାନ ବନ୍ଦର ଅଧିକାରୀମାନେ ବି ସାମିଲ ହୋଇଥିଲେ ।

ଏହି ବୈଠକ ପରେ ଲୋକସଭାରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିନ୍ଦିଆ ସ୍ପଷ୍ଟ କରିଛନ୍ତି କି ଏଣିକି ବିମାନବନ୍ଦରରେ ପ୍ରତିଟି ଯାତ୍ରୀଙ୍କ ପାଇଁ କରୋନା ଟେଷ୍ଟ ବାଧ୍ୟତା ମୂ୍ଳକ କରାଯିବ । ସୂଚନା ଥାଉକି ଆମେରିକାରେ ବି ବୁଧବାର ଦିନ ଜଣେ ବ୍ୟକ୍ତିଙ୍କ ଠାରେ କରୋନାର ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥବା ବ୍ୟକ୍ତି ଜଣଙ୍କ ଟିକା ନେଇଥିଲେ ବି ପୁଣି ଓମିକ୍ରନ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେବା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି ।