ସଂସଦର ମୌସୁମୀ ଅଧିବେଶନ ପାଇଁ ୩୦ଟି ରାଜନୈତିକ ଦଳ ସହ ଆଲୋଚନା କଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଆଗରେ ବିଜେଡି ଉଠାଇଲା ବିଧାନପରିଷଦ ଓ ମହିଳା ବିଲ୍ ପ୍ରସଙ୍ଗ ।

169

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ତେଲ ଦର ବୃଦ୍ଧି, କରୋନା ମୁକାବିଲାରେ ସରକାରଙ୍କ ବିଫଳତା ଆଦି ପ୍ରସଙ୍ଗକୁ ନେଇ ଏଥର ମୌସୁମୀ ଅଧିବେଶନରେ ଝଡ ଉଠିପାରେ । ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ମୋଦି ସର୍ବଦଳୀୟ ବୈଠକ ଡକାଇ ୩୦ଟି ରାଜନୈତିକ ଦଳ ସହ ଆଲୋଚନା କରିଛନ୍ତି । ସେପଟେ ବିଜେଡି ପ୍ରଧାନମନ୍ତ୍ରୀଙ୍କ ଆଗରେ କହିଛି, ଏଥର କେନ୍ଦ୍ର ସରକାର ଓଡିଶା ବିଧାନ ପରିଷଦ ବିଲ୍ ଆଣନ୍ତୁ ଏବଂ ମହିଳା ସଂରକ୍ଷଣ ବିଲ୍ ମଧ୍ୟ ଆଣନ୍ତୁ ।

ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ମୌସୁମୀ ଅଧିବେଶନ ତୋଫାନୀ ହେବ ବୋଲି ଆଶଙ୍କା କରାଯାଉଛି । ଆଉ ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ସବୁ ରାଜନୈତିକ ଦଳକୁ ଡାକି ବୈଠକ କରିଛନ୍ତି । ପ୍ରାୟ ୩୦ଟି ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇଥିବା ଏହି ବୈଠକରେ ମୋଦି ଆଶ୍ୱାସନା ଦେଇଛନ୍ତି, ଯେ ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ।

କରୋନାର ଦ୍ୱିତୀୟ ଲହରରେ ଦେଶରେ ୪ ଲକ୍ଷ ୧୩ ହଜାର ଲୋକଙ୍କ ମୃତ୍ୟୁ ଓ ସରକାର ଉପରେ ଉଠୁଥିବା ପ୍ରଶ୍ନ ଏହି ଅଧିବେଶନରେ ଝଡ ସୃଷ୍ଟି କରିବ । ଏହାଛଡା ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ । ଏହାଛଡା ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନେଇ ମଧ୍ୟ ସରକାରଙ୍କୁ ଘେରିପାରନ୍ତି ବିରୋଧୀ ।

ସେପଟେ ସର୍ବଦଳୀୟ ବୈଠକରେ ବିଜୁ ଜନତା ଦଳ ବିଧାନ ପରିଷଦ କଥା ଉଠାଇଛି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ଓ ପିନାକୀ ମିଶ୍ର ବିଧାନପରିଷଦ ବିଲ୍ ସହ ମହିଳା ସଂରକ୍ଷଣ ବିଲ୍ ଓ ଅନୁସୂଚିତ ଜନଜାତି ତାଲିକା ସଂକ୍ରାନ୍ତୀୟ ବିଲ୍ ଆଣିବା ପାଇଁ ଦାବି କରିଛନ୍ତି । କ୍ୟାବିନେଟ୍ ସଂପ୍ରସାରଣ ପରେ ଏହି ଅଧିବେଶନ ବସିବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ଅଧିବେଶନରେ ନୂଆମନ୍ତ୍ରୀମାନଙ୍କୁ ପରିଚିତ କରାଇବେ ।