ସୂର୍ଯ୍ୟକୁ ନାସା ପଠାଇଲା ମହାକାଶ ଯାନ ! ନଭେମ୍ବରରୁ ଆରମ୍ଭ ହେବ ଗବେଷଣା, ୭ବର୍ଷର ଜୀବନକାଳ ଭିତରେ ସୂର୍ଯ୍ୟକୁ ମାରିବ ୨୪ ଘେରା ।

54

କନକ ବ୍ୟୁରୋ : ରବିବାର ଭୋର ୩ଟା ୩୧ରେ ମହାକାଶକୁ ଛୁଟି ଚାଲିଲା ନାସାର ବହୁ ପ୍ରତିକ୍ଷିତ ପାର୍କର ସୋଲାର ପ୍ରୋବ୍ । କାଉଣ୍ଟଡାଉନ ସରିବା ସହ ଆକାଶ ବୁକୁ ଚିରି ମଣିଷ ସଭ୍ୟତା ଓ ଆକାଶ ବିଜ୍ଞାନରେ ନୂଆ ଇତିହାସ ସୃଷ୍ଟି କରିଛି ଏହି ଯାନ । ପ୍ରଥମ ଥର ପାଇଁ ସୂର୍ଯ୍ୟର ଅତି ନିକଟକୁ ଯାଇ ଗବେଷଣା କରିବ ଏହି ସୋଲାର ପ୍ରୋବ ।

ପୃଥିବୀଠାରୁ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବିରାଟ ସୂର୍ଯ୍ୟର ପାଖରେ ପହଂଚିବା ପାଇଁ ଏହି ମହାକାଶ ଯାନ ପ୍ରାୟ ୪ ମାସ ସମୟ ନେବ ବୋଲି ଆକଳନ କରାଯାଇଛି । ଘଂଟାକୁ ପ୍ରାୟ ୧୬ ହଜାର କିଲୋମିଟର ବେଗରେ ଗତି କରୁଛି ଏହି ପ୍ରୋବ । ତେବେ ଏହି ଯାନ ସୂର୍ଯ୍ୟର ପୃଷ୍ଠଠାରୁ ପ୍ରାୟ ୬୨ ଲକ୍ଷ କିଲୋମିଟର ଦୂରରେ ରହି ଗବେଷଣା କରିବ ।

ଏହି ପାର୍କର ସୋଲାର ପ୍ରୋବ ସୂର୍ଯ୍ୟର ପ୍ରଭାମଣ୍ଡଳର ରହସ୍ୟ ବୁଝିବା ସହ ସୌର ବାୟୁମଣ୍ଡଳ ଉପରେ ଅଧିକ ଗବେଷଣା କରିବ । ସୂର୍ଯ୍ୟର ପୃଷ୍ଠର ତାପମାତ୍ରାଠାରୁ ୩୦୦ ଗୁଣ ଅଧିକ ଉତ୍ତପ୍ତ ହେଉଛି ସୌର ପ୍ରଭାମଣ୍ଡଳ ବା କୋରୋନା । ଏହା ହେଉଛି ଶକ୍ତିଶାଳୀ ପ୍ଲାଜମା ଓ ଶକ୍ତି କଣିକାର ଘଂଟା ଚକଟା ହେଉଥିବା ସ୍ଥାନ । ତେବେ ଏହି ସବୁ ଏବେ ବି ବହୁ କଥା ଅସ୍ପଷ୍ଟ । ଏନେଇ ଅଧିକ ଗବେଷଣା କରିବ ନାସାର ଏହି ଯାନ । ଏହାର ଜୀବନ କାଳ ୭ ବର୍ଷ ରଖିଛି ନାସା । ଏହି ସମୟ ଭିତରେ ଯାନଟି ୨୪ ଥର ସୂର୍ଯ୍ୟ ଚାରିପଟେ ବୁଲିବ ।

ଉଚ୍ଚ ସୌର ବିକିରଣ ଓ ଉତ୍ତାପ ରୋକିବା ପାଇଁ ସ୍ୱତନ୍ତ୍ର ତାପରୋଧୀ ବ୍ୟବସ୍ଥା କରାଯାଇଛି । ଫଳରେ ଏହି ଯାନର କୌଣସି କ୍ଷତି ହେବ ନାହିଁ । ନାସାର ଏହି ସୌର ଅଭିଯାନ ପାଇଁ ୬ ହଜାର ୫ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ପାର୍କର ସୋଲାର ପ୍ରୋବ ସଫଳ ହେଲେ ସୂର୍ଯ୍ୟ ନେଇ ବିଜ୍ଞାନୀଙ୍କ ମନରେ ଥିବା ଅନେକ ପ୍ରଶ୍ନର ସମାଧାନ ହେବ ।