ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା ପାଇଁ ତନାଘନା ! କୋରିୟର ବୟ ସହ ସଂପୃକ୍ତ ସଂସ୍ଥାର ମାଲିକକୁ ଉଠାଇ ନେଲା କ୍ରାଇମବ୍ରାଂଚ୍

30

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ଘଟଣାରେ ତନାଘନା । କୋରିୟର ପହଂଚାଇଥିବା କୋରିୟର ବୟ ସହ ସଂପୃକ୍ତ ସଂସ୍ଥାର ମାଲିକକୁ ମଧ୍ୟ ଉଠାଇ ନେଇଛି କ୍ରାଇମବ୍ରାଂଚ୍ । ସେମାନଙ୍କୁ ପଚରା ଉଚରା ଜାରି ରହିଛି । ଏହି ମାମଲାରେ ଗତକାଲି ପାଟଣାଗଡା ମେହେରପଡାରୁ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଂଚ । ମୃତ ସୌମ୍ୟ ଶେଖରଙ୍କ ମା’ ମଧ୍ୟ ଭଇଁସା କଲେଜର ଅଧ୍ୟାପିକା ଅଛନ୍ତି ।

ଗତ ଫେବ୍ରୁଆରି ମାସ ୨୩ ତାରିଖରେ ପାଟଣାଗଡ଼ ଅଂଚଳରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ । ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଁଚିଥିଲା ଏକ ଗିଫ୍ଟ ପାର୍ସଲ । ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ । ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମା’ ପ୍ରାଣ ହରାଇଥିଲେ । ରୀମା ଗୁରୁତର ହୋଇ ଏସସିବିରେ ଭର୍ତି ହୋଇଥିଲେ । ଇତିମଧ୍ୟରେ ରିମାଙ୍କ ଏସସିବିରୁ ଡିସଚାର୍ଜ କରିଦିଆଇଛି । ଘଟଣାକୁ ପାଖାପାଖି ଦୁଇମାସ ବିତିଯାଇଥିଲେ ବି ଘଟଣା ଉପରୁ ପରଦା ହଟି ପାରିନାହିଁ ।

ସୂଚନାଯୋଗ୍ୟ ଗତକାଲି ମେହେରପଡାରୁ ଭଇଁସା କଲେଜର ଇଂରାଜୀ ଅଧ୍ୟାପକଙ୍କୁ ଉଠାଇନେଇଥିଲା କ୍ରାଇମବ୍ରାଂଚ ପୋଲିସ । ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଜେରା କରୁଛନ୍ତି କ୍ରାଇମବ୍ରାଂଚ ଅଧିକାରୀ । ତଦନ୍ତ ପ୍ରଭାବିତ ହେବା ଆଶଙ୍କାରେ ପୋଲିସ କୌଣସି ସୂଚନା ଦେଉନଥିଲେ ବି ଫେବ୍ରୁଆରୀ ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଅଧ୍ୟାପକଙ୍କ ସଂପୃକ୍ତି ସନ୍ଦେହରେ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା ତଦନ୍ତକାରୀ ଟିମ୍ ।