ବଦଳିବ ପାରାଦୀପ ବେଳାଭୂମିର ରୂପ । ସୌନ୍ଦର୍ଯ୍ୟକରଣ କରିବା ପାଇଁ ପ୍ରୟାସ ଆରମ୍ଭ । ନାଚଗୀତ ସହ ସୁଆଦିଆ ଖାଦ୍ୟର ମଜା ଉଠାଇବେ ପର୍ଯ୍ୟଟକ ।

139

କନକ ବ୍ୟୁରୋ: ପାରାଦୀପ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ନୂଆ ଯୋଜନା । ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ୱ ଦେଇ ସରକାର ଏବେ ସମୁଦ୍ର ବେଳାଭୂମିର ସୈାନ୍ଦର୍ଯ୍ୟକରଣ କରିବା ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି । ଏଥର ବନ୍ଦର ନଗରୀ ପାରାଦୀପ ବେଳାଭୂମିର ରୂପ ବଦଳିବ ଏବଂ ସଜେଇ ହେବ ପାରାଦୀପ ବେଳାଭୂମି । ଖାଲି ସେତିକି ନୁହେଁ, ନାଚ, ଗୀତ ସହ ସୁଆଦିଆ ଖାଦ୍ୟର ମଜା ଉଠାଇବେ ପର୍ଯ୍ୟଟକ । ଓଡିଶାର ବିସ୍ତୃତ ବେଳାଭୂମି ପ୍ରତି ପର୍ଯ୍ୟଟକଙ୍କ ଆଗ୍ରହକୁ ଲକ୍ଷ୍ୟ ରଖି ଏଥିପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟର ବିସ୍ତୃତ ବେଳାଭୂମି ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଟେଣ୍ଡର ଆହ୍ୱାନ କରିଛି ଓଟିଡିସି । ପ୍ରାଥମିକ ପର୍ଯ୍ୟାୟରେ ୬ଟି ବେଳାଭୂମିକୁ ସ୍ଥାନିତ କରାଯାଇଛି, ଏଥିରେ ପାରାଦୀପ ସମୁଦ୍ର ବେଳାଭୂମିକୁ ସାମିଲ କରାଯାଇଛି । ଗୋଆ ସି-ବିଚ୍ ଢାଞ୍ଚାରେ ପାରାଦୀପ ବେଳାଭୂମିରେ ଝୁମ୍ପୁଡି ଘର ତିଆରି ହେବ, ସୁସ୍ୱାଦୁ ଖାଦ୍ୟ, ନାଚ-ଗୀତର ଆସର ପର୍ଯ୍ୟଟକଙ୍କୁ ନିଆରା ଅନୁଭବ ଦେବ । ଫଳରେ ବନ୍ଦର ନଗରୀକୁ ଆସୁଥିବା ବାହାର ରାଜ୍ୟ ତଥା ବିଦେଶୀ ପର୍ଯ୍ୟଟକମାନେ ବେଳାଭୂମି ପ୍ରତି ଆକୃଷ୍ଟ ହେବେ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଓଡିଶା ଏକ ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇପାରିବ ।

ରାଜ୍ୟରେ ୪୮୦ କିଲୋମିଟର ବ୍ୟାପୀ ସମୂଦ୍ର ବେଳାଭୂମି ରହିଛି । ବେଳାଭୂମୀର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହିତ ସ୍ଥାନୀୟ ଅଞ୍ଚଳର ବେକାରୀ ସମସ୍ୟା ଦୂର କରିବା ପାଇଁ ଉଦ୍ୟମ କରାଯାଉଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ପର୍ଯ୍ୟଟକଙ୍କ ଭିଡ ଜମିବା ସହ ସ୍ଥାନୀୟ ଅଞ୍ଚଳରେ ଏକ ବହୁବିଧ ରୋଜଗାରର ମାଧ୍ୟମ ପାଲଟିବ ବୋଲି ମଧ୍ୟ ଆଶା କରାଯାଉଛି ।