ଓଲିଉଡକୁ କମବ୍ୟାକ କଲେ ପପୁ ପମପମ । ହେଲେ ନୂଆ ରୂପରେ

1,116

କନକ ବ୍ୟୁରୋ : ପୁଣି ଥରେ ବଡ ପରଦାକୁ ଏଣ୍ଟ୍ରି ମାରିଛନ୍ତି କମେଡି କିଙ୍ଗ୍ ପପୁ ପମପମ । କିନ୍ତୁ ଏଥର ଅଭିନେତା ଭାବେ ନୁହେଁ ବରଂ ନୂଆ ରୂପରେ । ସ୍ୱାସ୍ଥ୍ୟବସ୍ଥା କାରଣରୁ ଦୀର୍ଘ ଦିନ ହେବ ଓଲିଉଡରୁ ଦୂରେଇ ରହିଥିବା ପପୁ ପମପମ ପୁଣିଥରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ କମବ୍ୟାକ କରିଛନ୍ତି । ତାହା ବି ପୁଣି ଚିରକୁଟ ମାଧ୍ୟମରେ । ପପୁ ପମପମ ଚିରକୁଟ ନାମକ ଓଡିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ନିଜେ ପପୁ ନିର୍ଦ୍ଦେଶନା, ଚିତ୍ରନାଟ୍ୟ ଓ ସଙ୍ଗୀତ ନିର୍ଦ୍ଦେଶନାର ଭାର ସମ୍ଭାଳିଛନ୍ତି ।

ସମ୍ପୂର୍ଣ୍ଣ ଦେଶୀ ଲଭଷ୍ଟୋରୀକୁ ନେଇ ଫିଲ୍ମ ଚିରକୁଟ ନିର୍ମାଣ କରୁଛନ୍ତି ପପୁ । ଯାହାର ଶୁଭମହୁରତ ଆଜି ଅନୁଷ୍ଠିତ ହୋଇଛି । ସବୁଠୁ ବଡ କଥା ହେଉଛି, ଏହି ଫିଲ୍ମର ଲିଡ ରୋଲରେ ଅଭିନୟ କରୁଛନ୍ତି ନବାଗତ ଅଭିନେତା ଓ ଅଭିନେତ୍ରୀ । ସମ୍ପୂର୍ଣ୍ଣ ନବାଗତ କଳାକାରଙ୍କୁ ନେଇ ଏହି ଫିଲ୍ମ କରୁଛନ୍ତି ପପୁ । ଏହି ଫିଲ୍ମରେ ହିରୋ ରୋଲରେ ନଜର ଆସିବାକୁ ଥିବା ଅଭିନେତା ଜଣକ ପୂର୍ବରୁ ଥିଏଟରରେ ଅଭିନୟ କରିଥିବା ବେଳେ ହିରୋଇନଙ୍କୁ ସୋସିଆଲ ମିଡିଆର ଟିକଟକ ଭିଡିଓରୁ ଖୋଜି ପାଇଥିଲେ ପପୁ ।

ଏମାନଙ୍କ ବ୍ୟତୀତ ଅନ୍ୟ କଳାକାର ମାନେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସମ୍ପୂର୍ଣ୍ଣ ନୂଆ । ତେବେ ଯାତ୍ରା, ଡ୍ରାମା ଓ ଥିଏଟରରେ ଅଭିନୟ କରିଥିବା କଳାକାରଙ୍କୁ ନେଇ ଏହି ଫିଲ୍ମ ନିର୍ମାଣ କରୁଛନ୍ତି ପପୁ । ଯାହାର ପ୍ରଯୋଜନା ଭାର ସମ୍ଭାଳିବେ ବିଶିଷ୍ଟ ଚିତ୍ର ନିର୍ମାତା ଅକ୍ଷୟ ପରିଜା । ଗତ କିଛି ମାସ ପୂର୍ବରୁ ପ୍ରାନକ୍ରିୟାସ ସଂକ୍ରମଣ ଜନିତ ରୋଗରେ ପୀଡିତ ଥିଲେ ପପୁ ପମପମ । ତେବେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବା ପରେ ଏବେ ସୁସ୍ଥ ହୋଇ ପୁଣିଥରେ ଓଲିଉଡର ରୂପେଲି ପରଦାକୁ କମବ୍ୟାକ କରିଛନ୍ତି ପପୁ ପମପମ ।