ସୁନାମୀ ଆଣିଲା ପାଣ୍ଡୋରା ପେପର : ଟିକସ ଠକେଇର ସବୁଠୁ ବଡ଼ ପ୍ରଘଟ

ସାମ୍ନାକୁ ଆସିଲା ୩୦ ବିଶ୍ୱନେତା, ୩୦୦ ସରକାରୀ ଅଧିକାରୀଙ୍କ ଗୁପ୍ତ ଡିଲ ଓ ସମ୍ପତିର ଦସ୍ତାବିଚ

259

କନକ ବ୍ୟୁରୋ : ସୁନାମୀ ଆଣିଲା ପାଣ୍ଡୋରା ପେପର୍ସ । ବିଶ୍ୱର ହାଇପ୍ରୋଫାଇଲ ବ୍ୟକ୍ତିମାନେ ମୂଲ୍ୟବାନ ସମ୍ପତି ହାତେଇବା ପାଇଁ ବିପୁଳ ଟିକସ ଫାଙ୍କିଛନ୍ତି । ୧୯୯୬ରୁ ୨୦୨୦ ମଧ୍ୟରେ ଟ୍ୟାକ୍ସ ଠକେଇ ପାଇଁ ବେଆଇନ୍ ଅର୍ଥ କାରବାର ହୋଇଛି । ଏମାନଙ୍କ ମଧ୍ୟରେ ୩୩୦ ରାଜନେତା ଓ ୧୩୦ ଫୋବର୍ସ ବିଲିଓନାୟାର ଅଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଦୁଇ ବର୍ଷ ତଳେ ପ୍ରାୟ ବର୍ଷେ ଧରି ଏହି ପ୍ରଘଟ ତଥ୍ୟକୁ ନେଇ ତନାଘନା ଚାଲିଥିଲା । ବଡ଼ ବଡ଼ ବ୍ୟବସାୟୀମାନେ ନଜି ଦେଶରେ ଆଇନର ଗଳାବାଟ ଦେଇ ଖସିଯିବାକୁ ଉଦ୍ୟମ କରୁଛନ୍ତି । ଟିକସ ଜାଲରୁ ମୁକୁଳିବା ପାଇଁ ଅନ୍ୟ ଦେଶର ସହାୟତା ନେଇଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଅନେକ ଏବେ ସ୍କାନରରେ ଅଛନ୍ତି ।

ଜାତୀୟ ଗଣମାଧ୍ୟରେ ପ୍ରକାଶ ପାଇଛି ଯେ, ପାଣ୍ଡୋରା ପେପର୍ସରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍‌ରାନ୍ ଖାନଙ୍କ ସମ୍ପର୍କୀୟ, ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଜୋର୍ଡାନ୍‌ର ରାଜା; ୟୁକ୍ରେନ, କେନିଆ, ଓ ଇକ୍ବେଡରର ରାଷ୍ଟ୍ରପତି ଓ ଚେକ୍‌ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ରଖିଥିବା ଗୁପ୍ତ ସମ୍ପତ୍ତି ସମ୍ପର୍କରେ ସୂଚନା ରହିଛି । ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍‌ଙ୍କ ନିକଟ ସମ୍ପର୍କୀୟ ଓ ପିଲାଦିନର ସାଙ୍ଗମାନଙ୍କ ନାମ ମଧ୍ୟ ଏହି ରିପୋର୍ଟରେ ରହିଛି । ୨୦୧୬ରେ ପାନାମା ପେପର୍ସ ଜାରି କରିଥିବା ସଂସ୍ଥା ‘ତଦନ୍ତକାରୀ ସାମ୍ବାଦିକଙ୍କ ଆନ୍ତର୍ଜାତିକ କନସୋର୍ଟିୟମ୍ ’(ଆଇସିଆଇଜେ) ପକ୍ଷରୁ ଆଜି ‘ପାଣ୍ଡୋରା ପେପର୍ସ’କୁ ଜାରି କରାଯାଇଛି । ଏଥିପାଇଁ ସାରା ଦୁନିଆର ୧୨ କୋଟି ଦସ୍ତାବିଜକୁ ଯାଞ୍ଚ କରାଯାଇଛି । ୧୧୭ଟି ଦେଶର ୬୦୦ ସାମ୍ବାଦିକ ଏହି ତଦନ୍ତରେ ସାମିଲ ଥିଲେ। ଆର୍ଥିକ କ୍ଷେତ୍ରର ଏହା ସବୁଠୁ ବଡ଼ ପର୍ଦାଫାଶ ବୋଲି ଆଇସିଆଇଜେ ଦାବି କରିଛି ।

ପାଣ୍ଡୋରା ପେପର୍ସରେ ଉଲ୍ଲେଖ ରହିଛି‌ ଯେ ବ୍ରିଟେନ୍‌ କୋର୍ଟରେ ଦେବାଳିଆ ଘୋଷିତ ଅନିଲ ଅମ୍ବାନିଙ୍କ ବିଦେଶରେ ୧୮ ସମ୍ପତ୍ତି ରହିଛି । ବାୟୋକନ୍‌ର ମୁଖ୍ୟ କିରଣ ମଜୁମଦାର ସ’ଙ୍କ ସ୍ବାମୀ ଏଭଳି ଜଣେ ବ୍ୟକ୍ତିଙ୍କୁ ନେଇ ଏକ ଟ୍ରଷ୍ଟ ଗଠନ କରିଛନ୍ତି ଯାହାଙ୍କ ଉପରେ ଇନସାଇଡର୍‌ ଟ୍ରେଡିଂ ଅଭିଯୋଗରେ ସେବି ପ୍ରତିବନ୍ଧକ ଲଗାଇଥିଲା । ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନିରବ ମୋଦୀ ଭାରତ ଛାଡ଼ିବାର ଏକ ମାସ ପୂର୍ବରୁ ତାଙ୍କ ଭଉଣୀ ମଧ୍ୟ ଏକ ଟ୍ରଷ୍ଟ ଗଠନ କରିଥିଲେ ବୋଲି ଜଣାପଡ଼ିଛି । ୨୦୧୬ରେ ପାନାମା ପେପର୍ସ ଜାରି ହେବା ପରେ ଅନେକ ବିଶିଷ୍ଟ ବ୍ୟକ୍ତି ସେମାନଙ୍କ ବିଦେଶୀ ସଂସ୍ଥାକୁ ପୁନର୍ଗଠିତ କରିଥିଲେ ବୋଲି ପାଣ୍ଡୋରା ପେପର୍ସରେ ଦାବି କରାଯାଇଛି । ପାନାମା ଲିକ୍‌ ପରେ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ତାଙ୍କ ବିଦେଶୀ ସଂସ୍ଥାକୁ ବନ୍ଦ କରିଥିଲେ ବୋଲି ରିପୋର୍ଟରେ କୁହାଯାଇଛି ।

ରିପୋର୍ଟରେ ଉଲ୍ଳେଖ ରହିଛି ଯେ ଜୋର୍ଡାନ୍‌ର ରାଜା ଅବଦ୍ଦୁଲା ଦ୍ବିତୀୟ ଆମେରିକା ଓ ବ୍ରିଟେନ୍‌ରେ ୧୦୦ ନିୟୁତ ଡଲାରରୁ ଅଧିକ ଗୁପ୍ତ ସମ୍ପତ୍ତି ରଖିଛନ୍ତି। ମାଲିବୁରେ ତାଙ୍କର ସମୁଦ୍ର ଆଡ଼କୁ ମୁହଁ କରିଥିବା ଏକ ବିଶାଳ ଘର ରହିଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍‌ରାନ୍ ଖାନ୍, ତାଙ୍କ କ୍ୟାବିନେଟ୍‌ର ମନ୍ତ୍ରୀ ଓ ସେମାନଙ୍କ ପରିବାରବର୍ଗ ବିଭିନ୍ନ ଗୁପ୍ତ କଂପାନି ଓ ଟ୍ରଷ୍ଟ ଜରିଆରେ କୋଟି କୋଟି ଡଲାରର ବେଆଇନ ସମ୍ପତ୍ତି ରଖିଛନ୍ତି । ଏଥିରେ ପାକିସ୍ତାନର ଅର୍ଥମନ୍ତ୍ରୀ ସୌକତ ତରିନ୍‌ଙ୍କ ନାମ ରହିଛି । ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଓ ତାଙ୍କ ପତ୍ନୀ ଏକ ସମ୍ପତ୍ତି କିଣିବା ବେଳେ ୩୧୨,୦୦୦ ପାଉଣ୍ଡ୍‌ର ଷ୍ଟାମ୍ପ୍ ଡ୍ୟୁଟି ସଞ୍ଚୟ କରିଥିଲେ। ବ୍ୟବସ୍ଥାରେ ଥିବା ଛିଦ୍ରର ସେମାନେ ଫାଇଦା ଉଠାଇଥିଲେ ବୋଲି ପାଣ୍ଡୋରା ପେପର୍ସରେ ଉଲ୍ଲେଖ ରହିଛି ।