କନକ ବ୍ୟୁରୋ: କ୍ଷମତାରେ ଥିବା ବେଳେ ଅଦୃଶ୍ୟ ନିର୍ଦ୍ଦେଶ ବଳରେ ହେଲିକପ୍ଟରରେ ଉଡ଼ିବୁଲୁଥିଲେ ପାଣ୍ଡିଆନ। ହେଲେ ଏହି ଖର୍ଚ୍ଚର ହିସାବ ନମିଳିବାରୁ ତଦନ୍ତ କରୁଛନ୍ତି ନୂଆ ସରକାର। ଆଜି ମନ୍ତ୍ରୀ ପୁଣି କହିଛନ୍ତି, ତଦନ୍ତ ଚାଲିଛି ଓ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ।

Advertisment

କ୍ଷମତାରେ ଥିବାବେଳେ ଭି.କେ. ପାଣ୍ଡିଆନ ଯେତିକି ହେଲିକପ୍ଟରରେ ବୁଲିଥିଲେ, ତାର ତଦନ୍ତ ଚାଲିଛି। ସେ କେତେ ଥର ସରକାରୀ କାର୍ଯ୍ୟରେ ହେଲିକପ୍ଟରରେ ଯାଇଛନ୍ତି? କେତେ ଥର ବ୍ୟକ୍ତିଗତ କାର୍ଯ୍ୟରେ ହେଲିକପ୍ଟରରେ ଯାଇ ବୁଲିଛନ୍ତି? ସେ ସେସବୁର ତଦନ୍ତ ଚାଲିଛି। ପରିବହନ ବିଭାଗ ପକ୍ଷରୁ ଏନେଇ ତଦନ୍ତ ଚାଲିଛି। ଖୁବ୍ ଶୀଘ୍ର ନିର୍ଯ୍ୟାସ ବାହାରିବ। ଆଉ ତଦନ୍ତ ସରିବା ପରେ ପାଣ୍ଡିଆନଙ୍କ ବିରୋଧରେ ବିଜେପି ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ।

ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୋହନ ସରକାର ଚେତାବନୀ ଦେବା ପରେ ତେଜିଛି ରାଜନୀତି। ମନ୍ତ୍ରୀଙ୍କ ବୟାନ ଓ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ଅନ୍ୟପଟେ ବିଜେପି ଧୋକା ଦେଇଛି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟସଭା ସାଂସଦ ମୁନ୍ନା ଖାଁ।

ତଥ୍ୟ ଅନୁସାରେ, ପାଣ୍ଡିଆନ ଚାକିରିରେ ଥିବା ସମୟରେ ପ୍ରାୟ ୪୫୦ରୁ ଅଧିକ ଥର ହେଲିକପ୍ଟରରେ ଉଡିଥିଲେ। ସେଥିମଧ୍ୟରୁ ୯ରୁ ୧୦ ଚାଟାର୍ଡ ଫ୍ଲାଇଟରେ ଓ ୨ରୁ ୩ଥର ହେଲିକପ୍ଟରରେ ବ୍ୟକ୍ତିଗତ କାର୍ଯ୍ୟରେ ଯାଇଥିଲେ।

ତେବେ ଜଣେ ସରକାରୀ ଚାକିରିଆ ହୋଇ ସେ କେମିତି ସରକାରୀ ହେଲିକପ୍ଟରକୁ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କଲେ? ତାର ତଦନ୍ତ ପାଇଁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିଲା।