ଓଡିଶାରେ ଆରମ୍ଭ ହେଲା ପଲ୍ଲୀ ପାଠଶାଳା । ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଛି ପଲ୍ଲୀରେ ପାଠ ପଢିବା ବ୍ୟବସ୍ଥା ।

କୋଭିଡ ନିୟମ ମାନି, ଲାଉଡ ସ୍ପିକର ଯୋଗେ ଗଳି କନ୍ଦିରେ ପିଲାଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ 

105

କନକ ବ୍ୟୁରୋ: ଓଡିଶାରେ ଆରମ୍ଭ ହେଲା ପଲ୍ଲୀ ପାଠଶାଳା । ଛତିଶଗଡର ମୋହଲ୍ଲା କ୍ଲାସ ବ୍ୟବସ୍ଥା ପରେ ଏବେ ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଛି ପଲ୍ଲୀରେ ପାଠ ପଢିବା ବ୍ୟବସ୍ଥା । କୋଭିଡ ନିୟମ ମାନି, ଲାଉଡ ସ୍ପିକର ଯୋଗେ ଗଳି କନ୍ଦିରେ ପିଲାଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । କରୋନା ମହାମାରୀ ଯୋଗୁଁ ପିଲାଙ୍କ ବହି ବସ୍ତାନୀରେ ଡୋରି ବନ୍ଧା ହୋଇଥିବାରୁ ଏବେ ପିଲାଙ୍କୁ ପାଠ ପଢା ସହ ଯୋଡିବା ଲାଗି ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛି ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ।

ଗଛ ମୂଳେ ହେଉଛି ପାଠ ପଢା । ଲାଉଡ ସ୍ପିକର ଯୋଗେ ପିଲାଙ୍କୁ ପାଠ ପଢାଉଛନ୍ତି ଶିକ୍ଷୟିତ୍ରୀ । ଗାଁ ଗଳିକନ୍ଦିରେ ବସି ଲାଉଡ ସ୍ପିକର ଶୁଣି ପାଠ ପଢୁଛନ୍ତି ସ୍କୁଲ ପିଲା । ମାଲକାଲାନଗିରି ଜିଲ୍ଲାର ଏମ୍.ଭି ୧୬ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡିଆରେ ପିଲାଙ୍କୁ ଦଳ ଦଳ କରି ବସାଇ ପାଠ ପଢାଇଛନ୍ତି ଶିକ୍ଷକ । ମୁହଁରେ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖି ଆରମ୍ଭ ହୋଇଛି ପାଠ ପଢା । ଆଉ ୨ ଶହ ମିଟର ଦୂରତା ଯାଏଁ ଗାଁ ଦାଣ୍ଡ କିମ୍ବା ଘର ଅଗଣାରେ ବସି ପାଠ ପଢୁଛନ୍ତି ପିଲା । କରୋନା ମହାମାରୀ ଯୋଗୁଁ ବହି ବସ୍ତାନିରେ ଡୋରି ବନ୍ଧା ହୋଇ ଥିବାରୁ ପିଲାଙ୍କୁ ପାଠ ସହ ଯୋଡି ରଖିବା ଲାଗି ଏହି ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି ।

କରୋନା ସଂକ୍ରମଣକୁ ଏଡାଇବା ଲାଗି ଗତବର୍ଷ ଠାରୁ ସ୍କୁଲ ଗୁଡିକୁ ବନ୍ଦ କରି ଦିଆଯାଇଥିଲା । ଏବେ ମଧ୍ୟ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ବାଦ ଦେଲେ ଏଯାଏଁ ବିଦ୍ୟାଳୟ ଖୋଲିନାହିଁ । ତେବେ ଅନଲାଇନ ଶିକ୍ଷାଦାନ ମାଲକାନଗିରି ଜିଲ୍ଲାରେ ସଫଳ ହୋଇ ପାରିନାହିଁ । ପ୍ରାୟ ୮୦ ଭାଗ ପିଲାଙ୍କ ପାଖରେ ମୋବାଇଲ କିମ୍ବା ଇଣ୍ଟରନେଟ ସେବା ନଥିବାରୁ ୟୁଟ୍ୟୁବ କିମ୍ବା ଅନଲାଇନ ପାଠ ପଢାରୁ ବଞ୍ଚିତ ହୋଇଛନ୍ତି ପିଲା । ତେବେ ଜିଲ୍ଲାର ଏମ.ଭି ୧୬ ସହ ଯବାନପାଲି, ବୁରୁଦି ଓ ବିଭିନ୍ନ ସ୍ଥାନରେ ଏହି ପଲ୍ଲୀ ପାଠଶାଳାକୁ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଥିବା ବେଳେ ଏହା ଦ୍ୱାରା ପିଲାମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି ।