ଇସ୍ତଫା ଦେବେନି ପାକ୍ ପ୍ରଧାନମନ୍ତ୍ରୀ । ଶେଷ ବଲ ଯାଏ ଖେଳିବେ ଇମ୍ରାନ୍

148

କନକ ବ୍ୟୁରୋ: ଏପ୍ରିଲ ୩ ତାରିଖରେ ପାକିସ୍ତାନ ସଂସଦରେ ଇମ୍ରାନ୍ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇପାରେ । ସଂଖ୍ୟା ଦୃଷ୍ଟିରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କ୍ଷମତାଚ୍ୟୁତ ହେବା ଆଶଙ୍କା ଭିତରେ ଗୁରୁବାର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । କ୍ରିକେଟରରୁ ରାଜନେତା ପାଲଟିଥିବା ଇମ୍ରାନ କହିଛନ୍ତି,  ଏପ୍ରିଲ ୩ରେ ସେ ଇସ୍ତ୍ରଫା ଦେବେନି । ଶେଷ ବଲ ଯାଏ ମ୍ୟାଚ୍ ଖେଳିବେ । ଅର୍ଥାତ୍ ସରକାର ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ବିକଳ୍ପ ଉପରେ ଇମ୍ରାନ୍ ଗୁରୁତ୍ୱ ଦେବେ । ଜୀବନରେ କେବେହେଲେ ହାର ସ୍ୱୀକାର କରିନଥିବା କଥା କହି ବିରୋଧୀଙ୍କୁ ଏପରି କିଛି କହିଛନ୍ତି ଇମ୍ରାନ୍ ।

  • ଇମୋଶନାଲ କାର୍ଡ ଖେଳୁଛନ୍ତି ଇମ୍ରାନ୍
  • ପଦ ଛାଡିବାକୁ ବିରୋଧୀଙ୍କ ଆହ୍ୱାନ

ଇମ୍ରାନ ଦେଶବାସୀଙ୍କୁ ନିଜର ଅଭିଭାଷଣ ରଖିବା ପରେ ବିରୋଧୀ ମଧ୍ୟ କଡା ପ୍ରତିକ୍ରିୟା ପ୍ରକାଶ କରିଛି । ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାବଲ ଭୁଟ୍ଟୋ ଜରଦାରୀ କହିଛନ୍ତି, ସରକାର ବଞ୍ଚାଇବା ପାଇଁ ଆଉ କୌଣସି ବିକଳ୍ପ ନାହିଁ । ଲୋକଙ୍କ ଆଗରେ ଇମୋଶନାଲ କାର୍ଡ ଖେଳିବା ଅପେକ୍ଷା ଇସ୍ତଫା ଦେବା ଦରକାର । ସେହିପରି ପିଏମଏଲ-ଏନର ଉପାଧ୍ୟକ୍ଷ ମରିୟମ ନୱାଜ କହିଛନ୍ତି, ଇମ୍ରାନ୍ ପ୍ରଧାନମନ୍ତ୍ରୀ ପଦରେ ବସିବାକୁ ଯୋଗ୍ୟ ନୁହେଁ । ତେବେ ନିଜ ସରକାରର ଆଭିମୁଖ୍ୟ ବାବଦରେ କହିବାକୁ ଯାଇ ଇମ୍ରାନ୍ ଭାରତ ସହିତ ବନ୍ଧୁତ୍ୱ ଚାହୁଁଥିବା କଥା କହିଛନ୍ତି । କିନ୍ତୁ ୨୦୧୯ରେ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତକୁ ନେଇ ଯେଉଁ ଆଶା ରଖିଥିଲେ ତାହା ପୂରଣ ହୋଇପାରିନି ବୋଲି ଇମ୍ରାନ୍ କହିଛନ୍ତି ।