ଏହି ପାକିସ୍ତାନୀ ଅମ୍ପାୟାରଙ୍କ ଉପରେ ବ୍ୟାନ ଲଗାଇଥିଲା ବିସିସିଆଇ: ଏବେ ଜୋତା ଦୋକାନରେ କରୁଛନ୍ତି କାମ

469

କନକ ବ୍ୟୁରୋ: ଅସଦ ରଉଫ ଜଣେ ପାକିସ୍ତାନୀ ଅମ୍ପାୟାର । ତାଙ୍କ ଗଣତି ବିଶ୍ୱର ଅନେକ ଅମ୍ପାୟାରଙ୍କ ମଧ୍ୟରେ ହୋଇଥାଏ । ନିଜ ୧୩ ବର୍ଷର କ୍ୟାରିୟରରେ ୪୯ଟି ଟେଷ୍ଟ ମ୍ୟାଚ, ୯୮ଟି ଦିନିକିଆ ଓ ୨୩ଟି ଟି-୨୦ ମ୍ୟାଚରେ ସେ ଅମ୍ପାୟାରିଂ କରିଛନ୍ତି । ହେଲେ ଏବେ ଏହି ବିଶିଷ୍ଟ ଅମ୍ପାୟାରଙ୍କ ଜୀବନ ବେଶ ବଦଳିଯାଇଛି । ଏବେ ଏହି ଅମ୍ପାୟାରଙ୍କ କ୍ରିକେଟ ପ୍ରତି କୌଣସି ରୁଚି ନାହିଁ ।

ଅସଦ ରଉଫ ଏକ ପାକିସ୍ତାନୀ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ମୁଁ ୨୦୧୩ରୁ କ୍ରିକେଟଠାରୁ ଦୂରେଇ ଯାଇଛି । କାରଣ ମୁଁ ଯେଉଁ କାମ ଛାଡି ଦିଏ ତା ପାଖକୁ କେବେ ଫେରେନି । ମୁଁ ଏହି ଛୋଟ ଦୋକାନ କରିଛି । ଯେଉଁ ଯାଏ ଜୀବନ ଅଛି ସେବେ ଯାଏଁ କାମ କରିବି । ମତେ ଏବେ ୬୬ ବର୍ଷ ଆଉ ମୁଁ ଏବେବି ନିଜ ଗୋଡରେ ଛିଡା ହୋଇଛି ।

ଅସଦ ରଉଫଙ୍କୁ ବିସିସିଆଇ ୨୦୧୬ ମସିହାରେ ୫ ବର୍ଷ ପାଇଁ ବ୍ୟାନ କରିଥିଲା । ସେତେବେଳେ ଅନୁଶାସନ କମିଟି ତାଙ୍କୁ ଭ୍ରଷ୍ଟାଚାର ମାମଲାରେ ଦୋଷୀ ପାଇଥିଲେ । ରଉଫ ଜୁଆ ମାଧ୍ୟମରେ ମୂଲ୍ୟବାନ ଉପହାର ଗ୍ରହଣ କରିଥିଲେ । ସେହିପରି ୨୦୧୩ ଆଇପିଏଲ ମ୍ୟାଚ ଫିକ୍ସିଂରେ ମଧ୍ୟ ତାଙ୍କ ସମ୍ପୃକ୍ତି ଥିବା କଥା ସାମ୍ନାକୁ ଆସିଥିଲା ।

ସେହିପରି ୨୦୧୨ ମସିହାରେ ମୁମ୍ବାଇର ଜଣେ ମଡେଲ ତାଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ । ସେତେବେଳେ ବି ସେ ଚର୍ଚ୍ଚାରେ ରହିଥିଲେ । ମଡେଲ ଜଣକ ଅଭିଯୋଗ କରିଥିଲେ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଅସଦ ରଉଫ ସମ୍ପର୍କ ରଖିଥିଲେ । ହେଲେ ପରେ ସେ ବିବାହ କରିବାକୁ ମନା କରିଦେଇଥିଲେ ।