ଭାରତର ନେଲା ଏମିତି ଏକ ନିଷ୍ପତ୍ତି, ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ଦିନିକିଆ ବିଶ୍ୱକପ ଖେଳିନପାରେ ପାକିସ୍ତାନ!

724

କନକ ବ୍ୟୁରୋ : ଏସିଆ କପ ଖେଳିବାକୁ ଟିମ୍ ଇଣ୍ଡିଆ ପାକିସ୍ତାନକୁ ଯିବ ନାହିଁ ବୋଲି ସ୍ପଷ୍ଟ କରିଛି । ପାକିସ୍ତାନରେ ଏସିଆ କପ୍ ଆୟୋଜିତ ହେଲେ ଟିମ୍ ଇଣ୍ଡିଆ କୌଣସି ପରିସ୍ଥିତିରେ ବି ଯିବନି ବୋଲି ରୋକଠୋକ ଶୁଣାଇଛି । ଯେଉଁଥିପାଇଁ ଏସିଆ କପକୁ ଏକ ନିରପେକ୍ଷ ଭେନ୍ୟୁରେ କରିବାକୁ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି । ଏପରିକି ପାକିସ୍ତାନରେ ହେବାକୁ ଥିବା ଏସିଆ କପ୍ ୟୁଏଇରେ ହୋଇପାରେ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆଉ ଭାରତର ଏଭଳି ଆଭିମୁଖ୍ୟ ଦେଖି ପାକିସ୍ତାନ ଏବେ ରକ୍ତ ଚାଉଳ ଚୋବାଇବା ଆରମ୍ଭ କଲାଣି । ଯେସାକୁ ତେସା ନୀତି ଆପଣାଇକୁ ମନସ୍ଥିର କରିଛି ପାକିସ୍ତାନ । ଅଥାର୍ତ ଭାରତ ଯଦି ଏସିଆ କପ୍ ଖେଳିବାକୁ ପାକିସ୍ତାନ ନଆସେ ତେବେ ପାକିସ୍ତାନ ମଧ୍ୟ ଚଳିତବର୍ଷ ଶେଷ ଆଡକୁ ହେବାକୁ ଥିବା ଦିନିକିଆ ବିଶ୍ୱକପ ଖେଳିବାକୁ ଭାରତ ଆସିବନି ବୋଲି ପିସିବିର ଅଧ୍ୟକ୍ଷ କହିଥିବା ନେଇ ସୂଚନା ମିଳିଛି ।

ବାହାରିନରେ ହୋଇଥିବା ଏସିସି ବୈଠକରେ ଏସିଆ କପକୁ ନେଇ ଭାରତ ସ୍ପଷ୍ଟ ମତ ରଖିଛି । ପାକିସ୍ତାନରେ ଏସିଆ କପ୍ ଖେଳାଗଲେ ସୁରକ୍ଷା କାରଣରୁ ଭାରତୀୟ ଟିମ୍ ପାକିସ୍ତାନ ଯିବନି । ଯଦି କୌଣସି ନିରପେକ୍ଷ ଭେନ୍ୟୁରେ ଏସିଆ କପ୍ ହେବ ତେବେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବ । ତେବେ ପିସିବି ପକ୍ଷରୁ ମଧ୍ୟ କୁହାଯାଇଛି ଯେ, ଏସିଆ କପ୍ ଓ ଚାମ୍ପିୟନ୍ସ ଟ୍ରଫିର ଆୟୋଜକ ଅଧିକାର ପାକିସ୍ତାନ ଛାଡିପାରିବ ନାହିଁ । ପିସିବିର ଚେୟାରମ୍ୟାନ୍ ନଜମ ସେଠୀ କହିଛନ୍ତି, ଏସିଆ କପ୍ ଅନେକ ଦେଶକୁ ନେଇ ହେଉଥିବା ଟୁର୍ଣ୍ଣାମେଣ୍ଟ । ଟିମ୍ ଇଣ୍ଡିଆକୁ ସୁରକ୍ଷା ଦେବାକୁ ପାକିସ୍ତାନ ପ୍ରସ୍ତୁତ । ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ ସରିଛି । ତେଣୁ ଏମିତି କୌଣସି କାରଣ ନାହିଁ ଯେଉଁଥିପାଇଁ ଭାରତ ନିଜ ଟିମକୁ ପାକିସ୍ତାନ ପଠାଇ ପାରିବ ନାହିଁ । ତେଣୁ ଯଦି ଭାରତ ନିଜ ଟିମକୁ ପାକିସ୍ତାନ ପଠାଇବ ନାହିଁ ତେବେ ପାକିସ୍ତାନ ମଧ୍ୟ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ଭାଗ ନେବ ନାହିଁ । ଆଉ ପିସିବିର ଏଭଳି ଆଭିମୁଖ୍ୟ ଏବେ ଆଇସିସିର ଚିନ୍ତା ବଢାଇ ଦେଇଛି । ଯେଉଁଥିପାଇଁ ଆଗାମୀ ମାର୍ଚ୍ଚରେ ଏସିଆ କପକୁ ନେଇ ପୁଣିଥରେ ବୈଠକ ବସିବ ଏବଂ ଏବାବଦରେ ନିଷ୍ପତ୍ତି ନିଆଯିବ । ତେବେ ଏହା ପୂର୍ବରୁ ବିସିସିଆଇ ଭାରତ ସରକାରଙ୍କ ସହ ଆଲୋଚନା କରି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଆସିବ କି ନାହିଁ ତାହା ସ୍ପଷ୍ଟ କରିବା ଉଚିତ୍ । ଯାହାଦ୍ୱାରା ଆଗାମୀ ଦିନିକିଆ ବିଶ୍ୱକପ୍ ବାବଦରେ ଭାଗ ନେବ କି ନାହିଁ ସେନେଇ ଆଇସିସି ସହ ଆଲୋଚନା କରିବ ପିସିବି ।

ଗତ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ହେବ ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ବନ୍ଧ ଭଲ ନାହିଁ । ଉଭୟ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳାଯାଉନାହିଁ । କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଉଭୟ ଦେଶ ପରସ୍ପରକୁ ଭେଟିଥାନ୍ତି । ଶେଷଥର ପାଇଁ ୨୦୨୨ ଟି-୨୦ ବିଶ୍ୱକପରେ ଉଭୟ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଆଉ ଏହି ମ୍ୟାଚରେ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ । ବିରାଟଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ଏହି ରୋମାଞ୍ଚକର ମୁକାବିଲାରେ ବିଜୟୀ ହୋଇଥିଲା ।