ପୁଣି ଲଜ୍ଜିତ ହେଲା ପାକ୍ ! ବିଶ୍ୱ ଦରବାରରେ ଭାରତକୁ ମିଳିଲା ବଡ଼ କୂଟନୈତିକ ବିଜୟ ।

1,560

କନକ ବ୍ୟୁରୋ: ପୁଣି ବିଶ୍ୱ ଦରବାରରେ ଲଜ୍ଜିତ ହେଲା ପାକିସ୍ତାନ । ଆଉ ପୁଣି ଭାରତକୁ ବିଶ୍ୱ ଦରବାରରେ ମିଳିଛି କୂଟନୈତିକ ବିଜୟ । ମିଳିତ ଜାତିସଂଘ ମାନବାଧିକାର ପରିଷଦରେ ଭାରତ ବିରୋଧରେ ସମର୍ଥନ ଜୁଟାଇବାରେ ବିଫଳ ହୋଇଛି ପାକିସ୍ତାନ । ସ୍ୱିଜରଲାଣ୍ଡର ଜେନେଭାଠାରେ ଚାଲିଥିବା ପରିଷଦର ୪୨ ତମ ଅଧିବେଶନରେ ଭାରତକୁ ଘେରିବାକୁ ଯୋଜନା କରିଥିଲା ପାକିସ୍ତାନ । କିନ୍ତୁ ଏଥିପାଇଁ ତାକୁ ୧୬ ଟି ସଦସ୍ୟ ଦେଶର ସମର୍ଥନ ଆବଶ୍ୟକ ଥିଲା । ହେଲେ ଏତିକି ସଂଖ୍ୟାର ସମର୍ଥନ ହାସଲ କରିପାରି ନାହିଁ ପାକିସ୍ତାନ । ଫଳରେ ବିଶ୍ୱ ମଂଚରେ କାଶ୍ମୀର ପ୍ରସଙ୍ଗରେ ଭାରତକୁ ଅପଦସ୍ତ କରିବାକୁ ପାକିସ୍ତାନ କରିଥିବା ଷଡଯନ୍ତ୍ର ଫସରଫାଟି ଯାଇଛି ।

ଅନ୍ୟପଟେ ଭାରତ ଗିଲଗିଟ୍ ଓ ପାକ୍ ଅଧିକୃତ କାଶ୍ମୀରରେ ମାନବାଧିକାର ଉଲ୍ଲଂଘନ ପାକିସ୍ତାନ କରୁଥିବା ନେଇ ସ୍ପଷ୍ଟ ମତ ରଖିଛି ଭାରତ । ତେଣୁ ବର୍ତମାନ ଚିତ୍ର ସଂପୂର୍ଣ୍ଣ ଓଲଟିଯାଇଛି । ଧାର ୩୭୦ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ଏହାକୁ ନେଇ ବାହାରେ ଆଲୋଚନା କରିବା ଦେଶର ସାର୍ବଭୌମତ୍ୱ ପ୍ରତି ଅପମାନ ବୋଲି ଭାରତ ଏହି ବୈଠକରେ ମତ ରଖିଛି । ପରିଷଦର ଏହି ଅଧିବେଶନ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

ସବୁଠାରୁ ବଡ଼ କଥା ହେଲା, ପୂର୍ବରୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ନିଦ ହେଉନଥିବା ପାକ୍ , ଭାରତ ବିରୋଧରେ ଅନ୍ତର୍ଜାତୀୟ କ୍ଷେତ୍ରରେ ରଚିଚାଲିଛି ଷଡ଼ଯନ୍ତ୍ର । ହେଲେ ଗୋଟିଏ ପରେ ଗୋଟିଏ କ୍ଷେତ୍ରରେ ବିଫଳ ହେଉଛି ପାକ୍ ।