ଜମ୍ମୁ କଶ୍ମୀରରେ ଉନ୍ନୟନ ପ୍ରକଳ୍ପକୁ ଦେଖି ପାକିସ୍ତାନର ପୀଡା । ଉଦଘାଟନ ରାଜନୀତିରେ ମୋଦୀ ମୂଳ ପ୍ରସଙ୍ଗକୁ ଏଡାଇ ଯାଉଥିବା କହିଲା ଇସଲାମାବାଦ

280

କନକ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ କଶ୍ମୀର ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଯୋଜନାର ଶିଳାନ୍ୟାସ କରିଛନ୍ତି । କିସ୍ତୱାରା ଜିଲ୍ଲାରେ ଚେନାବ ନଦୀରେ ୮୫୦ ମେଗାୱାଟର ରାଟଲ ଜଳବିଦ୍ୟୁତ ପ୍ରକଳ୍ପ, ୫୪୦ ମେଗାୱାଟର କ୍ୱାର ଜଳ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଯାହାକୁ ନେଇ ଆପତ୍ତି ଉଠାଇଛି ପାକିସ୍ତାନ । ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଏହି ଯୋଜନାର ଉଦଘାଟନ କରି ମୂଳ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି ବୋଲି ପାକିସ୍ତାନ କହିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ କହିଛନ୍ତି ଜମ୍ମୁ କଶ୍ମୀରର ପୂର୍ବ ପିଢି ଯେଉଁ ସମସ୍ୟା ଦେଇ ଗତିକରୁଥଲେ ଏବେର ପିଢି ସେ ସମସ୍ୟା ଦେଇ ଆଉ ଗତିକରିବେନି ବୋଲି ଉଦଘାଟନ ବେଳେ ପ୍ରଧାନମନ୍ତ୍ରୀ କହିିଛନ୍ତି ।

  • ‘ସିନ୍ଧୁ ଜଳ ଚୁକ୍ତି ଉଲ୍ଲଂଘନ କରିଛି ଭାରତ’
  • ପାକିସ୍ତାନର ଦାବି କେତେ ଯୁକ୍ତିଯୁକ୍ତ?

ପାକିସ୍ତାନର ନୂଆ ସରିଫ ସରକାର ଭାରତ ବିରୋଧରେ ଆଣିଛନ୍ତି ସିନ୍ଧୁ ଜଳ ଚୁକ୍ତି ଉଲ୍ଲଂଘନ ଅଭିଯୋଗ । କେନ୍ଦ୍ର ସରକାର ଜମ୍ମୁରେ ଯେଉଁ ଯୋଜନା କରୁଛନ୍ତି ତାହା ସିନ୍ଧୁ ଜଳ ଚୁକ୍ତିର ଉଲ୍ଲଂଘନ ବୋଲି ପାକିସ୍ତାନର ବୈଦେଶିକ ଅଫିସ କହିଛି । ଏପରି କହିବା ବେଳେ ପାକିସ୍ତାନ ୧୯୬୦ ମସିହାରେ ହେଇଥିବା ସିନ୍ଧୁ ଜଳଚୁକ୍ତି କଥା ଉଲ୍ଲେଖ କରିଛି । ଚୁକ୍ତି ଅନୁଯାୟୀ ସିନ୍ଧୁ କିମ୍ବା ଏହାକୁ ସଂଯୋଗ କରୁଥିବା ନଦୀରେ କୌଣସି ପ୍ରକଳ୍ପ ହେଲେ ପାକିସ୍ତାନକୁ ଅବଗତ କରାଇବାକୁ ହେବ ।

ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାନ୍ ଏବଂ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ମଧ୍ୟରେ ଏହି ଚୁକ୍ତି ହୋଇଥିଲା । ସେତେବେଳେ ଜମ୍ମୁ କଶ୍ମୀରରେ ଧାରା ୩୭୦ ଥିଲା । ଏବେ କିନ୍ତୁ ଜମ୍ମୁ କଶ୍ମୀରରୁ ଯେତେବେଳେ ଧାରା ୩୭୦ ଉଚ୍ଛେଦ ହୋଇସାରିଛି ସେତେବେଳେ ପାକିସ୍ତାନର ଅଭିଯୋଗ କେତେ ଯୁକ୍ତିଯୁକ୍ତି?