ମହାକାଶରେ ଭାରତର ମୁକାବିଲା କରିବାକୁ ଅଣ୍ଟା ଭିଡିଲା ପାକିସ୍ତାନ । ଚୀନ ସହାୟତାରେ ୨୦୨୨ ସୁଦ୍ଧା ମାନବଯାନ ପଠାଇବାକୁ ଯୋଜନା

30

ମହାକାଶରେ ଭାରତର ମୁକାବିଲା କରିବ ପାକିସ୍ତାନ । ଚୀନ ସହାୟତାରେ ୨୦୨୨ ସୁଦ୍ଧା ମାନବଯାନ ପ୍ରେରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ପାକିସ୍ତାନ । ପାକ୍ ସୂଚନା ମନ୍ତ୍ରୀ ଫୱାଦ୍ ଚୌଧୁରି ଏନେଇ ବିଧିବଦ୍ଧ ଘୋଷଣା କରିଥିବା ବେଳେ ପ୍ରଥମ ମିଶନରୁ ହିଁ ସଫଳ ହେବାର ସ୍ୱପ୍ନ ଦେଖିଛି ପାକିସ୍ତାନ । ଏହି ମିଶନରେ ବୈଷୟିକ କୌଶଳରୁ ଆରମ୍ଭ କରି ଆର୍ଥିକ ସହାୟତା ପର୍ଯ୍ୟନ୍ତ ସବୁପ୍ରକାର ସାହାଯ୍ୟ କରିବ ଚୀନ । ଏନେଇ ଚୀନ-ପାକିସ୍ତାନ ସ୍ପେସ୍ ଆଣ୍ଡ ଅପର୍ ଆଟମୋସ୍ପିଅର ରିସର୍ଚ୍ଚ କମିଶନ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି ।

ଜୁଲାଇ ୨୦୧୮ରେ ପାକିସ୍ତାନ ମହାକାଶକୁ ୨ଟି ସାଟେଲାଇଟ୍ ଚୀନ ସହାୟତାରେ ପଠାଇଥିଲା । ଅନ୍ୟପଟେ ମହାକାଶକୁ ୨୦୨୨ ସୁଦ୍ଧା ମାନବଯାନ ପ୍ରେରଣନେଇ ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ହିଁ ଘୋଷଣା କରିସାରିଛନ୍ତି । ରୁଷ୍ ସହାୟତାରେ ଭାରତ ଏହି ମହାକାଶ ମିଶନ ପୂରଣ କରିବା ଦିଗରେ କାର୍ଯ୍ୟରତ । ଏହା ପୂର୍ବରୁ ଆମେରିକା, ଋଷ ଓ ଚୀନ ମହାକାଶକୁ ମାନବଯାନ ପ୍ରେରଣ କରିଛନ୍ତି । ଆଉ ଯଦି ୨୦୨୨ ସୁଦ୍ଧା ଭାରତ ମହାକାଶକୁ ମାନବଯାନ ପଠାଇବାରେ ସକ୍ଷମ ହୁଏ ତେବେ ଚୁତର୍ଥ ଦେଶ ଭାବେ ଏହି ତାଲିକାରେ ସାମିଲ ହେବ । ସେପଟେ ମହାକାଶରେ ମଧ୍ୟ ଭାରତର ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପାକିସ୍ତାନ ସ୍ୱପ୍ନ ଦେଖୁଥିବା ଜଣାପଡ଼ିଛି ।