ପାକିସ୍ତାନ ରାଜନୀତିରେ ଘଡିକେ ଘୋଡା: ଅନାସ୍ଥା ପ୍ରସ୍ତାବ ବେଳେ ବିରୋଧୀଙ୍କୁ ଚକମା ଦେବାକୁ ଚାଲ କରୁଛନ୍ତି ଇମ୍ରାନ

133

କନକ ବ୍ୟୁରୋ: ପାକିସ୍ତାନରେ ରାଜନୈତିକ ଡ୍ରାମା ଭିତରେ ଏବେ ଯେଉଁକଥାଟି ଭାରତୀୟଙ୍କ ମଧ୍ୟରେ ଚର୍ଚ୍ଚାର କାରଣ ପାଲଟିଛି, ତାହା ହେଲା ଇମ୍ରାନ ଖାନ ବାରମ୍ବାର ଭାରତକୁ ପ୍ରଶଂସା କରିବା । ପ୍ରାୟ ପ୍ରତି ଭାଷଣରେ ଇମ୍ରାନ ଭାରତର ବିଦେଶ ନୀତିକୁ ପ୍ରଶଂସାରେ ପୋତି ପକାଉଛନ୍ତି ।

ଏବେ ଶୁଣିଲେ ତ କେମିତି ଭାରତକୁ ପ୍ରଶଂସାରେ ପୋତି ପକାଉଛନ୍ତି ଇମ୍ରାନ ଖାନ । ଏହି ତିନୋଟି ଯାକ ଭାଷଣ ଅଲଗା ଅଲଗା ତାରିଖର । ହେଲେ ଏଥିରେ ଗୋଟିଏ କଥାରେ ସାମଂଜସ୍ୟ ରହିଛି । ଦେଶବାସୀଙ୍କୁ ପ୍ରତି ସମ୍ବୋଧନରେ ସେ ଭାରତର ବିଦେଶ ନୀତିକୁ ପ୍ରଶଂସା କରିବା ସହ ପାକିସ୍ତାନ ଏହାକୁ ଆପଣେଇବା ପାଇଁ ଯୁକ୍ତି ବାଢ଼ିଛନ୍ତି । ହେଲେ ଭାରତ ଓ ମୋଦୀଙ୍କ ବିରୋଧରେ ବିଷୋଦଗାର କରୁଥିବା ଇମ୍ରାନଙ୍କ ହଠାତ୍ କାହିଁକି ଏ ଆଭିମୁଖ୍ୟ ପରିବର୍ତନ । ହଠାତ୍ କାହିଁକି ଏ ଭାରତ ପ୍ରେମ । ଏମିତି କ’ଣ ଘଟିଗଲା ଯେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତର ଗୁଣଗାନ କଲା । କଥାଟି ଅଟକିଛି ଅଲଗା ଜାଗାରେ । ନିଜର ବିଦେଶ ନୀତିକୁ ନେଇ ଚାରିଆଡ଼ୁ ସମାଲୋଚନାର ଶୀକାର ହୋଇଛନ୍ତି ଇମ୍ରାନ ଖାନ । ଫେବ୍ରୁଆରୀ ୨୪, ଅର୍ଥାତ୍ ଯେଉଁଦିନ ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କଲା, ସେହିଦିନ ହିଁ ରୁଷ୍ ରାଜଧାନୀ ମସ୍କୋରେ ଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଆଉ ପୁଟିନଙ୍କ ସହ ଫଟୋ ଉଠାଉଥିଲେ ଇମ୍ରାନ ଖାନ । ଏହା ଫଟୋ ଆସିବା ପରେ ଖାଲି ବିଦେଶରୁ ନୁହେଁ ପାକିସ୍ତାନ ଭିତରୁ ମଧ୍ୟ ତାଙ୍କୁ କଡ଼ା ସମାଲୋଚନାର ଶୀକାର ହେବାକୁ ପଡ଼ିଛି । ତେଣୁ ଭାରତ କଥା କହି ନିଜର କାମକୁ ଯୁକ୍ତି ସଂଗତ ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି ଇମ୍ରାନ ଖାନ ।

ବାରମ୍ବାର ଭାରତକୁ ପ୍ରଶଂସା କରିବା ପରେ ଇମ୍ରାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ଯଦି ଭାରତ ଏତେ ପସନ୍ଦ, ତାହାହେଲେ ଇମ୍ରାନ କାହିଁକି ଭାରତ ଚାଲିଯାଉ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତ୍ରୀ ମରିୟମ ନୱାଜ ।

ପାକିସ୍ତାନ ସବୁବେଳେ ଭାରତ ବିରୋଧୀ ମନୋଭାବ ପୋଷଣ କରିଆସିଛି । ଆତଙ୍କବାଦକୁ ସାହାରା କରି ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରିଆସିଛି ପାକିସ୍ତାନ, ଏବେବି କରୁଛି । ୨୦୦୮ ମୁମ୍ବାଇ ଆକ୍ରମଣ ଏହାର ସବୁଠୁ ବଡ଼ ପ୍ରମାଣ । ଏହାସହ ଜମ୍ମୁକାଶ୍ମୀରରେ ଆତଙ୍କବାଦୀକୁ ପାକିସ୍ତାନ ପ୍ରୋତ୍ସାହନ ଦେଇ ଆସୁଛି । ତେବେ ପୂର୍ବରୁ ଉଭୟ ଦେଶର ସରକାର ମଝିରେ ମଝିରେ ଆଲୋଚନା ଟେବୁଲକୁ ଫେରିଥିବା ବେଳେ ଇମ୍ରାନଙ୍କ ଶାସନ ବେଳେ ଏପରି କିଛି ଘଟି ନାହିଁ । ନୱାଜ ସରିଫ ପାକିସ୍ତାନ ପ୍ରଧାନମନ୍ତ୍ରୀ ଥିବା ବେଳେ ଭାରତ ଓ ପାକିସ୍ତାନ ସମ୍ପର୍କ ବେଶ୍ ସୁଧୁରିଥିଲା । ଏପରିକି ପ୍ରଧାନମନ୍ତ୍ରୀ ମୋଦୀ ଲାହୋର ଯାଇ ନୱାଜ ସରିଫଙ୍କ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୋଦୀ । ହେଲେ ଇମ୍ରାନ ଖାନ ୨୦୧୮ରେ ପାକିସ୍ତାନର ମଙ୍ଗ ସମ୍ଭାଳିବା ପରେ ଉଭୟ ଦେଶର ସମ୍ପର୍କ ପୁଣି ଖରାପ ଆଡ଼କୁ ଗତି କରିଥିଲା । ସେବେଠାରୁ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇ ନାହିଁ ।