ପାକିସ୍ତାନରେ ହାଇଡ୍ରାମା । ଇମ୍ରାନଙ୍କ ଘରେ କବାଟ ଭାଙ୍ଗି ପଶିଲା ପୁଲିସ, ଚାଲିଲା ବୁଲଡୋଜର

119

କନକ ବ୍ୟୁରୋ : ପାକିସ୍ତାନରେ ଶନିବାର ଦେଖିବାକୁ ମିଳିଛି ହାଇଡ୍ରାମା । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ପାଇଁ ପିଛା ଛାଡୁନି ଇସଲାମାବାଦ ପୁଲିସ । ଏହା ଭିତରେ ଶନିବାର ଲାହୋରେ ଥିବା ଇମ୍ରାନଙ୍କ ବାସଭବନ ଭିତରେ ବଳପୂର୍ବକ ପଶିଛି ଲାହୋର ପୁଲିସ । ବୁଲଡୋଜର ଜରିଆରେ ଘରର କିଛି ଅଂଶ ଭଙ୍ଗାଯାଇଥିବା ମଧ୍ୟ ଜଣାପଡିଛି । ଇମ୍ରାନଙ୍କ ଘର ଓ ଘର ବାହାର ଜଗି ରହିଥିବା ସମର୍ଥକ ଓ ପୁଲିସ ମଧ୍ୟରେ ବଡ ଧରଣର ସଂର୍ଘଷ ହୋଇଛି । ଗୁଳିମାଡ ସହ ବୋମା ବିସ୍ଫୋରଣ ଓ ଲାଠି ଚାର୍ଜର ଖବର ମଧ୍ୟ ସାମ୍ନାକୁ ଆସିଛି । ଘଟଣାକୁ ନେଇ ଆକ୍ରୋଶ ଜାହିର କରିଛନ୍ତି ଇମ୍ରାନଙ୍କ ସମର୍ଥକ । ସେହେବାଜ ସରକାରଙ୍କ ଇସାରାରେ ଇମ୍ରାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇଥିବା ଇମ୍ରାନଙ୍କ ସମର୍ଥକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପୁଲିସ କହିଛି ପ୍ରଥମେ ଗୁଳିମାଡ ହେବା ଯୋଗୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଗୋଟେ ପଟେ ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଇମ୍ରାନଙ୍କୁ ଗିରଫ କରିବା ପାଇଁ ଇସଲାମାବାଦ ପୁଲିସ ସବୁପ୍ରକାର ଚେଷ୍ଟା କରୁଥିବବେଳେ ଅନ୍ୟପଟେ ଧରାଛୁଆଁ ଦେଉନାହାଁନ୍ତି ଇମ୍ରାନ । ସେପଟେ ଅନ୍ୟ ମାମଲାରେ ହାଜର ହେବା ପାଇଁ କୋର୍ଟରେ ହାଜର ହେବାକୁ ଇସଲାମାବାଦ କୋର୍ଟ ଯାଉଥିବା ସମୟରେ ଗାଡି ଦୁର୍ଘଟଣାର ଶିକାର ହୋଇଥିବା ଇମ୍ରାନ ଭିଡିଓ ଜାରି କରି କହିଛନ୍ତି ।

ବହୁ ଚର୍ଚ୍ଚିତ ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି ଇମ୍ରାନ ଖାନ । ତୋଷଖାନାର ବହୁ ମୂଲ୍ୟବାନ ଉପହାର ଓ ସମ୍ପତି ବିକ୍ରି କରିଥିଲେ ଇମ୍ରାନ । ଏହି ମାମଲାରେ ଇସଲାମାବାଦ କୋର୍ଟ ଇମ୍ରାନଙ୍କୁ ଗିରଫ କରି ୨୮ ମାର୍ଚ୍ଚ ସୁଦ୍ଧା ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।