କଳିଙ୍ଗରେ ଆଜି ପୁଲ ଡି’ର ଦମଦାର ଫାଇଟ :  ଜର୍ମାନୀକୁ ଭେଟିବ ବିଶ୍ୱକପର ସବୁଠୁ ସଫଳ ଦଳ ପାକିସ୍ତାନ 

ମାଲେସିଆକୁ ମାତ୍ ଦେବାକୁ ପ୍ରସ୍ତୁତ ନେଦରଲ୍ୟାଣ୍ଡ ।

102

କନକ ବ୍ୟୁରୋ : କ୍ରିକେଟ କୁହନ୍ତୁ ବା ହକି ଭାରତ ମାଟିରେ ପଡୋଶୀ ପାକିସ୍ତାନର ଉପସ୍ଥିତି ସବୁବେଳେ ଦର୍ଶକଙ୍କ ଭିତରେ ଉକ୍ରଣ୍ଠା ଭରିଦିଏ । ବିଶ୍ୱ ମାନ୍ୟତାର ୧୩ ନମ୍ବର ଦେଶ ହେଲେ ସର୍ବାଧିକ ଥର ବିଶ୍ୱକପ୍ ହକି ବିଜୟୀ ଟିମ୍ ପାକିସ୍ତାନ ପୁଲ ଅଫ ଡେଥ୍ କୁହାଯାଉଥିବା ପୁଲ ଡି’ରେ ଜର୍ମାନୀ, ମାଲେସିଆ ଓ ନେଦରଲ୍ୟାଣ୍ଡ ସହିତ ରହିଛି । ଦଳ ଆଜି ଜର୍ମାନୀ ବିରୋଧରେ କଳିଙ୍ଗ ଷ୍ଟାଡିୟମରେ ତାର ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ବିଶ୍ୱକପରେ ସର୍ବାଧିକ ୪ଥର ଟାଇଟଲ ହାତେଇବାର ରେକର୍ଡ ପାକିସ୍ତାନ ନାଁରେ ରହିଛି । ହେଲେ ୨୦୧୪ ହେଗ୍ ବିଶ୍ୱକପରେ ଯୋଗ୍ୟତା ଅର୍ଜନ କରିପାରିନଥିଲା ପାକିସ୍ତାନ । ୮ବର୍ଷ ପରେ କଳିଙ୍ଗରେ ବିଶ୍ୱକପ ମୁକାବିଲାକୁ ଓହ୍ଲାଇ ଥିବାରୁ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ସେପଟେ ଦୁଇ ଦୁଇ ଥରର ବିଶ୍ୱ ବିଜେତା ଜର୍ମାନୀ ମଧ୍ୟ ଚଳିତ ବିଶ୍ୱକପରେ ରହିଛି ଟାଇଟଲ ଦାବିଦାର । ୨୦୧୦ ବିଶ୍ୱପକରେ ଅଷ୍ଟ୍ରେଲିଆଠାରୁ ପରାଜିତ ଜର୍ମାନୀ ଚଳିତ ବିଶ୍ୱକପରେ ବଡ ବିପର୍ଯ୍ୟୟ ଘଟାଇ ଟାଇଟଲ ହାତେଇବାକୁ ସମର୍ଥ । ଦଳ ୨୦୦୨ ଓ ୨୦୦୬ରେ ଦୁଇଥର ବିଶ୍ୱକପ ଉପରେ କବଜା କରିଥିଲା । ତେଣୁ ଆଜିର ଦ୍ୱିତୀୟ ମ୍ୟାଚ ବେଶ ରୋମାଂଚକର ହେବା ଅନୁମାନ କରାଯାଉଛି ।

ଆଜି ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ନେଦରଲ୍ୟାଣ୍ଡ ଓ ମାଲେସିଆ । ୨୦୧୪ ହକି ବିଶ୍ୱକପର ଆୟୋଜକ ଦଳ ତଥା ବିଶ୍ୱ ମାନ୍ୟତାର ୪ ନମ୍ବର ଦଳ ନେଦରଲ୍ୟାଣ୍ଡ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ଦାବିଦାର ୬ଟି ଟିମ୍ ମଧ୍ୟରେ ଅନ୍ୟତମ । ମୋଟ୍ ୬ଥର ଫାଇନାଲ ଖେଳିଥିବାବେଳେ ୩ଥର ଟାଇଟଲ ହାସଲ କରିଛି ଦଳ । ୧୯୭୩, ୧୯୯୦ ଓ ୧୯୯୮ରେ ସ୍ୱର୍ଣ୍ଣ ଜିତିଥିଲା ନେଦରଲ୍ୟାଣ୍ଡ । ଗତ ଥରର ରନର୍ସଅପ ନେଦରଲ୍ୟାଣ୍ଡ ୧୯୮୭ ଓ ୧୯୯୪ରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ବିଜୟୀ ହୌଇଥିଲା । ୨୦୦୨ ଓ ୨୦୧୦ରେ ମଧ୍ୟ ଦଳ ତୃତୀୟ ସ୍ଥାନରେ ରହିଥିଲା । ପୁଲ ଡି’ରେ ଥିବା ନେଦରଲ୍ୟାଣ୍ଡ ଆଜି ପ୍ରଥମ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ମାଲେସିଆ ବିରୋଧରେ ଖେଳିବ ।