ପାକିସ୍ତାନ ଲୋକଙ୍କୁ ଚା ପିଇବାରୁ ବିରତ ରହିବାକୁ ଅନୁରୋଧ କଲେ ମନ୍ତ୍ରୀ ଅହସାନ ଇକବାଲ, ଜାଣନ୍ତୁ କାରଣ

439

କନକ ବ୍ୟୁରୋ : ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ଦେଶର ଲୋକଙ୍କ ଚା ପିଇବାକୁ ମନା କରିଛି । ପାକିସ୍ତାନ ଯୋଜନା ଓ ବିକାଶମନ୍ତ୍ରୀ ଅହସାନ ଇକବାଲ ଜନତାଙ୍କୁ ଅନୁରୋଧ କରିଛନ୍ତି କି ସେମାନେ ଦୈନିକ ଯେତିକି କପ୍ ଚା ପିଉଛନ୍ତି ତା ମଧ୍ୟରୁ କିଛି କମ କରିଦିଅନ୍ତୁ । ଏନେଇ ସେ କହିଛନ୍ତି କି ଦେଶ ଏବେ ଯେଭଳି ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି ଯଦି ଲୋକମାନେ ଚା ପିଇବା କମାଇଦେବେ ତେବେ ଆର୍ଥିକ ଅବସ୍ଥାର ସୂଧାର ଆସିବାରେ ସହାୟକ ହେବ । କହିରଖୁ କି ପାକିସ୍ତାନ ବିଦେଶରୁ ଚା ଆମଦାନୀ କରିଥାଏ । ତେଣୁ ଲୋକମାନେ ଚା ପିଇବା କମାଇଦେଲେ ସରକାରଙ୍କ ଆମଦାନୀ ଖର୍ଚ୍ଚ କମିବ ।

କେବଳ ସେତିକି ନୁହେଁ ମନ୍ତ୍ରୀ ଦେଶର ବ୍ୟବସାୟୀ ମାନଙ୍କୁ ବି ବିଜୁଳି ବ୍ୟବହାର କମ୍ କରିବାକୁ ଅନୁରୋଧ କରିଛନ୍ତି । ଆର୍ଥିକ ସଂକଟର ସୂଧାର ପାଇଁ ସେ କହିଛନ୍ତି କି ବ୍ୟବସାୟୀମାନେ ରାତି ୮.୩୦ ପରେ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରନ୍ତୁ । ଏଭଳି କଲେ ଅନ୍ୟ ଦେଶରୁ କିଣା ଯାଉଥିବା ବିଜୁଳିରୁ କିଛି ଖର୍ଚ୍ଚ କାଟ କରାଯାଇ ପାରିବ ।

ପାକିସ୍ତାନ ଗଣମାଧ୍ୟମ “ଏକ୍ସପ୍ରେସ ଟ୍ୟୁନ” ର ଏକ ରିପୋର୍ଟ ମୁତାବକ ମଙ୍ଗଳବାର ଦିନ ରାଜଧାନୀ ଇସଲାମାବାଦରେ ଗଣମାଧ୍ୟମ ସହ ଆଲୋଚନା ବେଳେ ମନ୍ତ୍ରୀ ଇକବାଲ କହିଛନ୍ତି କି, “ମୁଁ ଦେଶର ଲୋକଙ୍କୁ ଦୈନିକ ୨ କପ ଚା କମ୍ ପିଇବାକୁ ଅନୁରୋଧ କରିଛି । କାରଣ ସରକାର ଚା ଆମଦାନୀ ପାଇଁ ବିଦେଶରୁ ଋଣ କରିବାକୁ ପଡୁଛି”

କହିରଖୁ କି ପାକିସ୍ତାନ ସରକାର ଗତମାସରେ ଆମଦାନୀ ଖର୍ଚ୍ଚ କମ କରିବାକୁ ୪୧ ଟି ସାମଗ୍ରୀ ଉପରେ ଆମଦାନୀ ପ୍ରତିବନ୍ଧକ ୨ ମାସ ପାଇଁ ଲଗାଇଛନ୍ତି । ମାତ୍ର ଏହା ଦ୍ୱାରା ବିଶେଷ କିଛି ଫରକ ପଡିବ ବୋଲି ଅନୁମାନ କରାଯାଉ ନାହିଁ । ଏଭଳି ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବା ଫଳରେ ପାକିସ୍ତାନକୁ ଆମଦାନୀ ଶ୍ଳୁକ ୬୦ କୋଟି ଡଲାର କମ୍ ହୋଇଛି । ଏହା ମୋଟ ଆମଦାନୀ ଶ୍ଳୁକର ମାତ୍ର ୫ ପ୍ରତିଶତ ବୋଲି କୁହାଯାଉଛି ।